ଶ୍ରାବଣୀ ଗୋ
ଶ୍ରାବଣୀ ଗୋ
ଶ୍ରାବଣୀ ଗୋ ତୁମ ରୂପ ଲାବଣ୍ୟ ର
ଛିଟା ଢାଳିଦେଲ ପୃଥିବୀ ବୁକେ,
ମୋହିନେଲ ମନ ଜନ ମାନସର
ତରୁଲତା ହସେ ଦିଗ ପ୍ରକମ୍ପେ।
ଫଳ ପୁଷ୍ପ ବୃକ୍ଷ ଅଙ୍କୁରଉଦ୍ଗମେ
ସହାୟିକା ସାଜି ବେଷ୍ଟିତ କଲ,
ରୁତୁମ୍ଭରା ଧରା ଅକୁଣ୍ଠ ଆବେଗ
ଆଲିଙ୍ଗନ ମଧ୍ୟେ ନିଃଶେଷ ହେଲ।
ଦିଗ ବାରିଦର ଡମ୍ବରୁ ମଧ୍ୟରେ
ତଡିତ୍ ପ୍ରଭାର ଉଜ୍ୱଳ ଜ୍ୟୋତି,
ନବବଧୂ ବେଶେ ଧିର ପାଦ ପାତେ
ଅବତରି ଅଛ ଲାବଣ୍ୟ ବତୀ।
ଶୁଭ ଆଗମନ ବାରତା ପ୍ରଚାର
ସାତସୁର ତୋଳି ଭେକ କହିଲା,
ଝିଙ୍କାରି ର ଝିଣି ଝିଣି ର ତାଳରେ
ସୀମନ୍ତିନୀ ତୁମ ଶଂଖା ବାଜିଲା।
ରାତ୍ରିର ଅନ୍ଧାରେ ବାତାୟନ ପରେ
(ତମ)ପାଦର ପାଉଁଜି ରୁଣୁକୁ ଝୁଣୁ,
ସେ ଶଦ୍ଦେ ଜଳନ୍ତି ଯେ ନବ ଦମ୍ପତି
ପଞ୍ଚ ଶରେ ଝାସ ଦିଅନ୍ତି ଏଣୁ।
କୃଷକ କୂଳର ମନ୍ଦାକିନୀ ହୋଇ
ଆସିଅଛ ତୁମେ ମମତା ମୟୀ,
ମମତ୍ବର ଧାରା ବୁହାଇ ଦେଇଣ
ହସ ଟିକେ ଦିଅ ତୁମେ ଫୁଟାଇ।
ନଦୀ ଗର୍ଭେ ତୁମ ରୂପ ସମ୍ଭାରର
ଉପମା କେ ଦେବ ଭାଷା ତ ଶେଷ,
ଚଳ ଚଞ୍ଚଳ ସେ ଚପଳ ମତୀ ଗୋ
ସାଗର କୋଳ ତା ଶେଷ ଗନ୍ତବ୍ୟ।
ମେଘ ମହ୍ଲାରକୁ ତୋଳି ଯେବେ ନାଚ
ବଉଦ ଉହାଡୁ ଦେବ ତପନ,
ଇନ୍ଦ୍ରଧନୁ ମାରି ବଶ କରିବାକୁ
ଚାହାନ୍ତି ରୁପସୀ ଶ୍ରାବଣୀ ମନ।
ତୁମର ପରଶ ପାଇବାକୁ ଟିକେ
ବ୍ୟାକୁଳିତ ଶଷାଗରା ଏ ଧରା,
ପିଲାଦିନ ମୋର ଫେରିଆସନ୍ତା କି
କାଗଜ ଡଙ୍ଗାରେ ଭିଜନ୍ତି ପରା ।