ଶ୍ରାବଣ ସର୍ବରୀ
ଶ୍ରାବଣ ସର୍ବରୀ
କବିତା -: ଶ୍ରାବଣ ସର୍ବରୀ
ରଚନା -:_ପଞ୍ଚାନନ ଜେନା
ତାରିଖ -୨୨-୦୮-୨୦୨୫
+++++++++++++++
ସବୁଆଡ଼େ ନିଷ୍ଠୁର ନିରବତାର ପଦଚିହ୍ନ
ଶେଷ ଶ୍ରାବଣ ଶର୍ବରୀ
ଦିନ ଗଣୁଛି ଫେରିବାକୁ ବାପଘର
ଛାଡ଼ି ବର୍ଷାଋତୁର ମାୟାମୋହ ନବାନ୍ନ
ନିଘୋଡ଼ ନିଦରେ ଶୋଇଛି
ଯେମିତି
କଳା ଘୁମର ଆଖିପତା ତନ୍ଦ୍ରାଚ୍ଛନ୍ନ
ବିବଶ ବିଭାବରୀ ଭଲଗ୍ନ
ବର୍ଷଣ ମୁଖର କାଳରାତ୍ରୀରେ
ମାୟା ଅଞ୍ଜନ ଲଗେଇ
ଲାଗୁଛି ଛାୟାଛନ୍ନ
ଆହୁରି ସଙ୍କଟାପନ୍ନ
ନିଛାଟିଆ ଅଙ୍କା ବଙ୍କା ଲମ୍ବା ରାସ୍ତା
ଶୋଇ ପଡିଛି ପତ୍ରାଛନ୍ନ ଘୁମେଇ
ଯେମିତି କଳା ନାଗ ଦେବତା
ଥକି ଯାଇଛି କୁନ୍ଥେଇ କାନ୍ଥେଇ
ବେଳେ ବେଳେ
ନିଶି ନିରବତା ଫାଟି ପଡୁଛି
ବଉଳା ଗାଈର ହମ୍ବାରଡ଼ି
ବୁଲା କୁକୁର ଭୋ ଭୋ ଶବ୍ଦଭେରି
ସବୁ ରାତି ପରି
ଝିଙ୍କାରୀର ଝିଁ ଝିଁ ତୁରୀ ମହୁରୀ
ଶଙ୍କାୟିତ ପରିବେଶକୁ
ଆହୁରି ସ୍ପର୍ଶକାତର କରି ପକାଉଛି
ନିଃଶବ୍ଦ ରାତ୍ରୀର ଲୋମ ଟାଙ୍କୁରା କାଉଁରୀ
ଉଲେଇ ବିଲେଇ ପରି ଦିଶୁଛି ଶଙ୍କାଶୂନ୍ୟ
ଏ ଘର ମାଉସୀ ସେ ଘର ପିଉସୀ ପରି
ବର୍ଷି ଯାଉଛି
କେଇ ଘଣ୍ଟା ଛାଡ଼ି
ଦଶ ପନ୍ଦର କିଲୋ ମିଟର ପରେ
ବୁନ୍ଦା ବୁନ୍ଦିର ବି ମୁନ୍ଦିଏ ଦର୍ଶନ ନାହିଁ
ମେଘ ମହ୍ଲାର
ସବୁ ଲୁଚକାଳି ଖେଳ
ବିଦାୟୀ ବେଳ
ଧରିବନି ବର୍ଷାରାଣୀର
କ୍ଷଣ କ୍ଷଣକେ ଆନ
ରୂପ ପରିବର୍ତ୍ତନ
ଆଉ ଶେଷରେ
ନିଅଣ୍ଟିଆ ବୃଷ୍ଟି ପାଇଁ ଚାଷୀ ଅନଶନ
