ନବ ଉନ୍ମେଷ
ନବ ଉନ୍ମେଷ
ନବ ପ୍ରଭାତରେ ନବୀନ ଅରୁଣ
ନବପ୍ରାଣ ପୁଲକରେ,
ଆକାଶ ପୃଥିବୀ ପୁରିଉଠୁଅଛି
ଗହଗହ ନାଦ ରୋଳେ,
ବିହଙ୍ଗ ସଙ୍ଗୀତ ରବ;
ରବମୟେ ବିଶ୍ଵ ହୁଏ ମୁଖରିତ
ଜୀବନ ହୁଅଇ ମୁଗ୍ଧ ।।
ନବ ଉନ୍ମୀଳନ ପ୍ର୍ରଷ୍ଫୁଟିତ ପୁଷ୍ପେ
କାନନ ଶୋଭା ସୁନ୍ଦର,
ମନ୍ଥର ଗତିରେ ଅଧୀରେ ଲହରେ
*”ପୁଷ୍ପ ସଉରଭ ଚୋର”,
ତା ଶୀତଳ ପରଶରେ;
ଶିହରଣ ଖେଳେ ଜୀବନ ଚଞ୍ଚଳ
ନବ ରବି ଉନ୍ନେଷରେ ।।
ଚିତ୍ର ଡେଣା “ଝାଡି- ଝାଡି” ପ୍ରଜାପତି
ଉନ୍ମାଦେ ବିଭୋର ହୋଇ,
ଇତସ୍ତତେ “ଉଡି” ଉଡି ବୁଲୁଥାନ୍ତି
ଫୁଲେ ଫୁଲେ ଚୁମା ଦେଇ,
ପରାଗ ରେଣୁ ଉଡାଇ;
ପରାଗ ସଂଗମ କ୍ରିୟା ମୋଦେ ଅବା
ଆସିଛି ସଜାଇ ହୋଇ ।।
ନବ ଉନ୍ମେଷିତ ପ୍ରଭାକର କର
ତମିସ୍ରା ହରଣ କରେ,
ଅନ୍ତରିକ୍ଷୁ ଯେତେ ତାରକା ତଣ୍ଡୁଳ
କୁକ୍କୁଟ ତୀକ୍ଷ୍ନ ଚଞ୍ଚୁରେ,
ସତେ ଅବା ଖୁମ୍ପି ଖାଏ;
କିଅବା ମିହିର ପକ୍ଷକୁ ବିସ୍ତାରି
ସେ ଚିତ୍ର ଲିଭାଇ ଦିଏ ।।
ସୁପ୍ତ ରଜନୀରେ ଅଚେତ ନିଦ୍ରାରେ
ଥିଲେ ସର୍ବ ପୁର ବାସି,
ପ୍ରଭାତୀ ସଙ୍ଗୀତ ବିହାୟସ ଗୀତ
କି ମନ୍ତ୍ର ରଚିଲା ଆସି,
ଜାଗି ଉଠିଲା ଧରଣୀ;
କଳକଳ ନାଦେ ଛଳଛଳ ହୋଇ
ଝରଇ ବନ ତଟିନୀ ।।
ସେ ଝରଣା କାଚ- କେନ୍ଦୁ ଜଳେ ଭାନୁ
ମୟୂଖ ଉଦ୍ଭାସି ଉଠେ,
ସତେକି ସୁବର୍ଣ୍ଣ ପସରା ମେଲାଇ
ଧାଉଁଛି ବନ୍ଧୁର ପଥେ,
ଅବା ରଙ୍ଗ ବେଣୀ ଛାଟି;
ଆକର୍ଷିତ କରେ ବନନୀ ସୁନ୍ଦରୀ
ଅପୂର୍ବ ତା ପରିପାଟୀ ।।
ଆହାକି ଅମୀୟ ମଧୁର ଝରଣ
ବିଭୁଙ୍କର ଆଶୀର୍ବାଦ,
ଲଭିଛି ଧରଣୀ ଜାଗିଉଠେ ପ୍ରାଣେ
ନବ ଉନ୍ମେଷ ଉନ୍ମାଦ,
ଉଷା ଭୂଷା ୟେ ପ୍ରକୃତି;
ସ୍ଵର୍ଗୀୟ ବିଭୁତି ଭୂଷିତ ଭୂଷଣେ
ମଙ୍ଗଳମୟ ମୋ ଧାତ୍ରୀ ।।