STORYMIRROR

Keshab Chandra Dash

Classics Fantasy Others

4  

Keshab Chandra Dash

Classics Fantasy Others

ରାମ ବାଲ୍ୟରୂପ ବନ୍ଦନା

ରାମ ବାଲ୍ୟରୂପ ବନ୍ଦନା

1 min
21

ଧନ୍ୟ ହେଲି ପ୍ରଭୁ, ଆଜିର ଦିନରେ

ଦେଖି ତୁମ ବାଲ୍ୟରୂପ

କେତେ ସୌମ୍ୟ,ମାଧୂର୍ଯ୍ୟମୟ ସେ

ଶୋଭା ତୁମ ଅପରୂପ ।

କି ଅନୁପମା ଦେଇ ତୁମ ରୂପ ବଖାଣିବି

ମୁଖେ ଫିଟୁ ନାହିଁ ଭାଷା

ନମନୀୟ କାନ୍ତି ଦେଖି ନୟନ ହୋଇଛି ପବିତ୍ର

ମନେ ନାହିଁ କିଛି ଅଭିଳାଷା।

ଶିରରେ ତୁମର ଶୋଭା ପାଉଅଛି

ହୀରା, ନୀଳା ଖଚିତ ସୁବର୍ଣ୍ଣ ମୁକୁଟ

ଅଷ୍ଟାଙ୍ଗ ଶରୀରେ ରହିଅଛି ପ୍ରଭୁ

ତୁମ ରାଜକୀୟ ପରିପାଟ।

ସୂର୍ଯ୍ୟବଂଶୀ ବୋଲି ମୁଖରେ ତୁମର

ରହିଅଛି ସୂର୍ଯ୍ୟ ସମ ଆଭା

ସେ ମୁଖରେ ନାହିଁ ବିଷାଦର ଛାୟା

ହାସ୍ୟମୟୀ ତାର ଶୋଭା।

ଶ୍ୟାମଳ ବର୍ଣ୍ଣର ଶରୀର ତୁମର

ଯୋଡ଼ି ନୟନ ଯେ କମଳ ସମାନ

ଜାଣେ ପ୍ରଭୁ ସେଥିପାଇଁ ସିନା

ନାମ ଅଟେ ତୁମ ରାଜୀବ ଲୋଚନ।

କପାଳେ ତୁମର ବୈଷ୍ଣବ ରାମନନ୍ଦୀ ଟିକା

ଗଳାରେ ବୈଦୁର୍ଯ୍ୟ ସୁବର୍ଣ୍ଣର ହାର

ହସ୍ତରେ କୋଦଣ୍ଡ ସଙ୍ଗେ ଅମୂଲ୍ୟ କଙ୍କଣ

ପିନ୍ଧିଅଛ ତୁମେ ପ୍ରଭୁ ପାଟ ପିତାମ୍ବର।

ଅଦ୍ଭୁତ, ଅଲୌକିକ ଦେଖି ତୁମ ଦିବ୍ୟରୂପ

ନୟନରୁ ମୋର ଝରେ ଅଶ୍ରୁଧାର

ଏ ଅକିଞ୍ଚନକୁ ସୁଦୟା କରିଛ

ମାନବ ଜୀବନ ସାର୍ଥକ ହୋଇଛି ମୋହର ।

ପଞ୍ଚଶତ ବର୍ଷ ସଂଘର୍ଷର ଫଳ

ଆଜି ସଭିଙ୍କୁ ଦେଇଛ ଦିବ୍ୟ ଦର୍ଶନ

କାରସେବକଙ୍କ ବଲିଦାନେ ଏ ମୋର ସୌଭାଗ୍ୟ

ଜଣାଉଛି ଅନ୍ତରରୁ ମୋ ଶ୍ରଦ୍ଧା ସୁମନ।

ପୁନର୍ଜନ୍ମ ତାଙ୍କୁ ନ ଦେବ ପ୍ରଭୁ ହେ

କରିଗଲେ ତୁମ ଜନ୍ମଭୂମି ପାଇଁ ଯେଉଁ କାମ

ଦିଅ ତାଙ୍କୁ ତୁମେ ପରମ ବୈକୁଣ୍ଠ

ଗୁହାରି ହେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ।

ମାଗୁନାହିଁ ପ୍ରଭୁ ଧନ,ମାନ,ସନମାନ

ହେ କରୁଣାନିଧି ! କୃପାସିନ୍ଧୁ ଭଗବାନ

ତୁମ ଆଶୀର୍ବାଦେ ସାରା ଜଗତ ସୁଖୀ ହେଉ

ଏତିକି ପ୍ରାର୍ଥନା ହେ, କୌଶଲ୍ୟା ନନ୍ଦନ।

ଏତିକି କରୁଛି ମାଗୁଣି ପ୍ରଭୁ ହେ

ରାମ ନାମ ଜପି ଯାଉ ଏ ମନୁଷ୍ୟ ଜୀବନ

ସାହା ହୋଇଥିବ ତୁମେ ମରଣ କାଳରେ

ଦେଇ ତୁମ ବାଲ୍ୟରୁପ ଦିବ୍ୟ ଦରଶନ।

(ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ ମୋର ଏ କବିତା)

ଜୟ ରଘୁକୁଳପତି ଶ୍ରୀ ରାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics