ତୁମେ...
ତୁମେ...
ତୁମ ଓଠ ସିନା କହୁଥିଲା ମିଛ
ସ୍ପନ୍ଦନ ରେ ଥିଲି ରହି
ଆଖି ଚାହିଁଥିଲା କହିବନି କିଛି
ଲୁହ କି ପାରିଲ ରହି ।
ସ୍ବପ୍ନ ର ସାଗର ତୀରେ ଦିନେ
ପାସେ ଆସିଥିଲ ଯେବେ ମୋର
ଲାଜର ଗହଣା ପିନ୍ଧି ଦିଶୁଥିଲ
ତୁମେ ସତେ କେଡେ ସୁନ୍ଦର ।
ପଦ୍ମ ପାଖୁଡା ପରି ଓଠ ଧାରେ
ଝରି ପଡୁଥିଲା ସୁଧା ପ୍ରେମର
ପାନ କରି ସୁଧା ଆପ୍ୟାୟିତ ମନ
ନାଚୁଥିଲା ହୋଇ ସେ ବିଭୋର ।
ସ୍ୱପ୍ନ ଭାଜିଲା ନୟନ ଭିଜିଲା ମୋର
ଦିବା ସ୍ବପ୍ନ ଥିଲା ମୋହର
ଶୁଭିଲାନି ଆଉ ମଧୁଝରା କଥା ତାର
ଶୂନ୍ୟ ପଡିଗଲା ମନ ଘର ।
ଯେଉଁ ଠିକଣା ମୁଁ ଖୋଜୁଥିଲି ଦିନେ
ଲେଖା ହେଲା ନା କାହାର
କେଉଁ କରମ ରୁ ହରାଇ ବସିଲି
ବ୍ୟର୍ଥତା ରେ ପୁରିଗଲା ଅନ୍ତର ।
ଠିକଣା ହଜେଇ ମନ କରୁଥିଲା ପ୍ରଶ୍ନ
ପାରିବୁ କି ଆଉ ଥରେ
ମନର ଠିକଣା ଥରେ ହଜିଗଲେ
ମିଳେନା ସେ ଏତେ ସହଜରେ ।
ଠିକଣା ପାଇବା ନୁହେଁ ମୋର ଅକ୍ତିଆରେ
ମନ ଗାଉଛି ପୀରତି ସୁରେ
ହାନି ଲାଭ ର ହିସାବ ରଖେନି କେବେ
ହଜିଯାଏ ମନ ତା ଇଚ୍ଛାରେ ।
ତଥାପି ସପନ ପଡିନି ମଉଳି କେବେ
ନିତ୍ୟ ନୂତନ ଛନ୍ଦ ତୋଳେ
ସ୍ମୃତି ପଟେ ଯିଏ ଚୀର ଉଜ୍ଜୀବିତ
ହୃଦୟ ଯାହାକୁ ସଦା ଭାଳେ ।
ହୃଦୟର ସେଇ ନିଭୃତ କୋଣରୁ
ଝରୁଥାଏ ସଦା ପ୍ରୀତି ଝର
ବାସ୍ତବ ରେ ନ ଲଭିଲେ ପରସ
ହୋଇଥାଏ ଅଂଶ ମୋ ଭାବନାର ।