ଶ୍ରାବଣ ଓ ଶୈଶବ
ଶ୍ରାବଣ ଓ ଶୈଶବ
ଅସରା ଅସରା
ଶ୍ରାବଣର ଏଇ ବରଷାରେ,
କିଛି କଥା, ମନେ ପଡୁ କି ନପଡୁ,
ମନେ ପଡି ଯାଏ ପିଲା ଦିନ କଥା,
କେତେ ମଜା ଆସେ
ସାଙ୍ଗ ସାଥି ମେଳେ,
ବରଷା ପାଣିରେ ଭିଜିବାରେ ।
ମନେ ପଡି ଯାଏ ବାପାଙ୍କ ସାଙ୍ଗରେ
ଘର ଫେରା ବେଳେ,
ଗୋଟିଏ ଛତାରେ ବରଷା ବେଳରେ,
ନିଜେ ଭିଜି ଯାଇ ବରଷା ପାଣିରେ
ଛତା ଟେକି ଦେଇ ମୋ ମୁଣ୍ଡ ଉପରେ
ଜାକି ଧରି ଥାନ୍ତି କତିରେ ।।
ମନେ ପଡି ଯାଏ,
ପାଣି ବୋହି ଯାଏ,
ଗାଆଁ ମଝି ଦାଣ୍ଡେ ନଇ ବଢି ପରି,
ପିଣ୍ଡାରେ ବସି ବଡ ଭାଇ ସଙ୍ଗେ,
କାଗଜ ଡଙ୍ଗା ଭସାଇ ଦିଏ
ଖରସୁଆଁ ଦାଣ୍ଡ ପାଣିରେ ।
ମୁଢି ନଡିଆର ମୁଶୁ ମୁଶୁ ମଜ୍ଜା,
ଆଜିବି ମନରେ ସେମିତି ସାଇତା ଅଛି,
ନାକ ଖୁସି ହୁଏ ରୋଷେଇରୁ ଯେବେ
ମାଆ ହାତ ଛଣା ଗରମ ପକୁଡି
ବାସନା ମହକି ଯାଏ ।।
ବାହାରେ ବରଷା କଳା ହାଣ୍ଡି ମେଘ
ଦାଣ୍ଡ ବାରଣ୍ଡାରେ
ଭାଇ ଭଉଣୀଙ୍କ ମେଳ,
ଜେଜେ ମାଆର ସେ
ନରମ ଉଷୁମ କୋଳ ।
ଜେଜେ ବାପାଙ୍କର ପୁରୁଣା ଦିନର,
ତାଙ୍କ ଯୁବା ବୟସର ବରଷା ଦିନର
କେତେ ରୋମାଞ୍ଚକ
କଥା କାହାଣୀର ମାଳ ।।
ବରଷା ଦିନର ପିଲା ବେଳ କଥା,
ଭୁଲି ହୁଏ ନାହିଁ ମନରେ ସାଇତା ଅଛି,
ଆସନ୍ତାନି ଥରେ ସେ ଶୈଶବ ଦିନ,
ଦି ଘଡି ପାଇଁ ଶ୍ରାବଣରେ ଆଜି,
ମନ ଖୋଜେ ସିନା ହଜିଲା ଦିନକୁ
ଆସିବ କି ସତେ ଫେରି ।।