ଶଙ୍କର୍ଷଣ
ଶଙ୍କର୍ଷଣ
ଶଙ୍କର୍ଷଣ
ହେ ବିଶ୍ବ ଆଧାର ମୋର ସ୍ତୁତି କର ଘେନା
ଏ ଘୋର ସଙ୍କଟ କାଳେ ସାଜି ବଜ୍ରସେହ୍ନା ,
ଶୌର୍ଯ୍ୟ ଦିଅ ନିଷ୍ପେଷିତ ପ୍ରାଣୀଙ୍କ ହାତରେ
ଆକସ୍ମିକ ଆପଦେ ଯେ' ରୋଦନ୍ତି କାତରେ ,
ସହିବାର ସୀମା ଯେବେ ହେଲା ଅତିକ୍ରାନ୍ତ
ସତ୍ଯ ଧର୍ମ ନ୍ୟାୟ ସ୍ଥାପି ଆସ ହେ ବିକ୍ରାନ୍ତ ।
ତୁମେ ଯେଣୁ ଶେଷନାଗ ,
ଶେଷ ହେଉ ପାପ ଭାଗ ।
ଜାଗିଛ କଳ୍ପାନ୍ତ ପରେ ଅପଲକ ନେତ୍ରେ
ହଳାୟୁଧ ପେଶି ଏବେ ରଖ ଧର୍ମକ୍ଷେତ୍ରେ ।
ଅନୈତିକ ମାର୍ଗେ ସିନା ପୁତ୍ରେ ଗଲେ ଚଳି
ବିନାଶ କରିଲ ଯେହ୍ନେ ମଦ୍ୟପାନେ ଛଳି ,
ଏବେ ତ ଉନ୍ମତ୍ତ ଅତି ଘୋର କାଳେ କଳି
ଛଳେ ବଳେ ନିଷ୍ପୀଡନ୍ତି କ୍ରୂର ଦୈତ୍ୟ ଭଳି ,
କାଦମ୍ବରୀ ବ୍ୟୂହେ ଏବେ ନାଶି ଅବଶିଷ୍ଟ
ଗୁଣଶୀଳ ଜନତାଙ୍କ ଫେଡ ଯାହା ରିଷ୍ଟ ।
କଳ୍କୀ ରୂପେ ଧର୍ମରଣେ
ଅବତରି ଆସ କ୍ଷଣେ ।
ହେ ଅନନ୍ତ ଶଙ୍କର୍ଷଣ ଢାଳି କୃପା ରାଶି
ଉଦ୍ଧାର ତୁରିତେ କର ଧରଣୀ ଉଶ୍ବାସି ।
