ଶିଶିର ବିନ୍ଦୁ
ଶିଶିର ବିନ୍ଦୁ
ଶିଶିର ବିନ୍ଦୁର ଶୋଭା - ସିନ୍ଧୁ
ଲାଗେ କି ମନ ଲୋଭ।
ହେମ ମୟୁଖେ ଝରା ଯେ ଦେଖେ
ଆହା କି ଦିବ୍ୟ ଶୋଭା ।
ବର୍ଦ୍ଧନ କରେ ମନକୁ ହରେ
ପ୍ରକୃତି ଲୀଳା ନୃତ୍ୟ
ଦିଶେ ସୁଷମ କି ମନୋରମ
ଶିଶିର ବିନ୍ଦୁ ଦୃଶ୍ୟ ।
ଶୀତ ସକାଳେ ପତର କୋଳେ
ହୁଅଇ ଢଳ ଢଳ
କି କମନିୟ ତୁହିନ ଚୟ
ହେମ - ମୟୁଖେ ଖେଳ ।
ରଚଇ ରଙ୍ଗେ କୁସୁମ ଅଙ୍ଗେ
ମୋତି ମାଣିକ ତୁଲ୍ୟ
ସେ ଝଲମଲ ହୋଇ ଚଞ୍ଚଳ
ସ୍ପଷ୍ଟୀକ ପରି ଶୁଭ୍ର ।
ପ୍ରତ୍ୟୁଷ କାଳେ ଉଜ୍ବଳେ ଝଳେ
ଖରା ବଢ଼ିବା ସହ
ସହସା ଧୀରେ ଧୀରେ ତରଳେ
ଦେଖାଇ ଚାରୁ ହାସ ।
ରାତିରେ ଜହ୍ନ ଜ୍ୟୋସ୍ନା ପ୍ଲାବନ
ଧାରେ ଶିଶିର ବିନ୍ଦୁ
ଫୁଲ ଫଳରେ , ଲଟା ବୁଦାରେ
ଶସ୍ୟ କ୍ଷେତରେ ମଧୁ ।
ଝରାରେ ଭିଜି ଯାଇଛି ସିଝି
ସତେ କି ଏଇ ଧରା
ଶୀତ କାଳରେ ଶୋଭା ସମ୍ଭାରେ
ଲାଗଇ ମନୋହର। ।
ନଈ ବାଲିରେ ପଡ଼ି ସେ ଧରେ
କେଡେ ସୁରମ୍ୟ କାନ୍ତି
ଯାର ଦର୍ଶନେ ଭାବୁକ ମନେ
ଝରଇ ଦିବ୍ୟ ଶାନ୍ତି ।
ପୁଷ୍କରିଣୀରେ ପଦ୍ମ ଫୁଲରେ
ପଡ଼ି ଶିଶିର ବିନ୍ଦୁ
ଦୃଶ୍ୟ ଅତ୍ୟନ୍ତ ରୁଚି କେମନ୍ତ
ବିଭାର ଭାର ମଧୁ ।
ବୋଳା ସ୍ବପ୍ନରେ ବିଭୋର କରେ
ଦର୍ଶକ ଜନ ମନ
ସୁଦିବ୍ୟ ରସ ଘେନି ହରଷ
ପୁଲକି ଉଠେ ପ୍ରାଣ ।
ନିତ୍ୟ ଜଡିତ ରାତ୍ରେ ପତିତ
ପବନ ଆଘାତରେ
ପତର କୋଳେ ହଲି , ମଧୁରେ
ସେ କେତେ ଲୀଳା କରେ !!!!