ସ୍ୱର୍ଣ୍ଣାକ୍ଷରେ ନାମ ରହୁ 🙏
ସ୍ୱର୍ଣ୍ଣାକ୍ଷରେ ନାମ ରହୁ 🙏


ଶୁଭ ପ୍ରଦାୟିନୀ, ଅଶୁଭ ନାଶିନୀ
ତୁହି ମାତା ଶୁଭ ପ୍ରଦା,
ଶାରସ୍ୱତ ପ୍ରାଣେ ଭକତିକୁ ଭରି
କରୁଅଛୁ ପାଦ ସେବା। [୧]
ଶରତ ଆକାଶେ ପାର୍ବଣର ରଙ୍ଗ
ଫିକା ଫିକା ଦିଶେ କାହିଁ ?
ଶିଥିଳ ଜୀବନେ ଭରିଦେ ମାଆଲୋ
ଚଳ ଚଞ୍ଚଳତା ତୁହି । [୨]
ସରଳ-ନିରୀହ ତୋହରି ସନ୍ତାନ
କେତେ ଭୟଭୀତ ସତେ!
ଅଭୟ ପଣତ ଘୋଡେଇ ଦେଏମା
ଭୟ ଦୂର ହେଉ ଯେତେ । [୩]
ସହିବା ଶକତି ଅସହ୍ୟ ହେଉଛି
ପ୍ରତୟ ଯାଉଛି ଚାଲି,
ଦୁଃଖ ଦୁର୍ଦ୍ଦଶାକୁ ଦୂରେଇଦେ ମାଆ
ଧାରା ଧାମେ ଅବତରି । [୪]
ଶତ ଶତ କେତେ ନିରୀହ ଜୀବନ
ଅକାଳେ ଯାଆନ୍ତି ଝରି,
ମାଆ ହୋଇ ପୁଣି କେମିତି ସହୁଛୁ
ସଂହାର ନକରି ଅରି ? [୫]
ଶଙ୍କା ଆଣେ ମନେ ତୋର ନିରବତା
ହୋଇଗଲୁକି ପାଷାଣୀ,
ମାଆ ହୃଦୟର ବାତ୍ସଲ୍ୟ ମମତା
ପାରୁନୁତ ଆମେ ଜାଣି ? [୬]
ଶୁଣିକି ପାରୁନୁ ଭକତ ସମୂହ
ଅନ୍ତରର ଏ ବିଳାପ,
ମଉନତା ଭାଙ୍ଗି ଅଚିରେ ଦେଏମା
ଅବୋଧଙ୍କୁ ଟିକେ ବୋଧ । [୭]
ଶକତି ଦେଏମା କପୋତୀଟି ପରି
ଝଡର ଉପରେ ଯାଇ,
ଦୃଢ ମନ ନେଇ ତୋ ସନ୍ତାନ ରହୁ
ସଦା ସୁରକ୍ଷିତ ହୋଇ। [୮]
ସର୍ବ ମଙ୍ଗଳର ଦୁନ୍ଦୁଭି ବଜାଇ
ଆସ ମାଆ ଆସ ବାରେ,
ଦୁର୍ଗତି ଦୂରେଇ ଦୁର୍ଗା ନାମ ତୁମ
ରହିଥାଉ ସ୍ୱର୍ଣ୍ଣାକ୍ଷରେ । [୯]
***************************