ଶିଶିର ଭିଜା ଶୀତ ସକାଳ
ଶିଶିର ଭିଜା ଶୀତ ସକାଳ
ଶରତ ମରତୁ ଅପସରି ଗଲା
ହେମନ୍ତ ଆସଇ ନିର୍ମଳ ଦାଣ୍ଡେ
ଧରଣୀ ରାଣୀର ସବୁଜ ଶାଢ଼ୀରେ
ମୁକୁତା ଛିଆଣି ଶୋଭା ଯେ ମଣ୍ଡେ ।
ପହିଲି ଶୀତରେ ଧରଣୀ କରୁଛି
ଲକ୍ଷ୍ମୀ ମାଆଙ୍କର ଶୁଭ ସ୍ୱାଗତ
ଆହା କି ସୁନ୍ଦର କାକର ବିନ୍ଦୁରେ
କଅଁଳ ଖରାର ଦିବ୍ୟ ପ୍ରଭାତ ।
ଶୀତ ସକାଳର କାକର ଭିଜାରେ
କୃଷକ ଦେଖୁଛି ଅମୃତ ସ୍ୱପ୍ନ
ଖଳା ମଣ୍ଡି ହେବ ଅପୂର୍ବ ସମ୍ଭାରେ
ଅମାର ତାହାର ହୋଇବ ପୂର୍ଣ୍ଣ ।
ସବୁଜ ପତର ଗହଳେ କଢ଼ିଟି
ସୂର୍ଯ୍ୟଙ୍କୁ କରୁଛି ପ୍ରୀତି ପ୍ରତୀକ୍ଷା
ମହକେ ଭରିବ ଏ ଧରଣୀ ପରା
ସୁରୂଜ କରିବେ ତାହାର ରକ୍ଷା ।
ସବୁଜ ଶାଢ଼ୀରେ ମୁକୁତା ଖଚିତ
ଧରଣୀ ରାଣୀର ଆହା କି ଶୋଭା
ସେ ପୁଣି କହୁଚି ଜୀବନ କ୍ଷଣିକ
ଅନୁଭବ କରି ପ୍ରଭୁଙ୍କ ଆଭା |
ଶୀତେ ଥୁରୁ ଥୁରୁ କାର୍ତ୍ତିକ ହବିଷ
ଶୀତ ସକାଳରେ ଦିବ୍ୟ ସ୍ନାହାନ
ମଠ,ମନ୍ଦିରରେ ଶୁଭେ ଶଙ୍ଖ ଘଣ୍ଟା
ଅପୂର୍ବ ପବିତ୍ର ପ୍ରଭୁ ଦର୍ଶନ |
ଶିଶିର ଭିଜା ଏ ଶୀତ ସକାଳଟା
କୁହୁଡ଼ିରେ ଘେରା ନଭ ମଣ୍ଡଳ
ସୁରଜ ଦେବଙ୍କ ତାପ ନୁନ୍ୟତା ଯେ
ଖରା ଟିକେ ପାଇଁ ସର୍ବେ ବିକଳ ।
ଶୀତ ସକାଳର କୁଜ୍ଝଟିକା ରାଶି
ଧୂମମୟ ଏଇ ଧରଣୀ ରାଣୀ
ସତେ କି ସୁରୂଜ ପଚାରନ୍ତି ପ୍ରଶ୍ନ
'ମୋ ବିନା କି ଚ଼ଳି ପାରିବ ପ୍ରାଣୀ' '
ଶୀତ ସକାଳର କାକର ଟୋପାରେ
ସତେ କି ଜୀବନ ସନ୍ତୋଷ ବାର୍ତ୍ତା
ସୁନା ଫସଲରେ କ୍ଷେତ ବିମଣ୍
ଡିତ
ଧନ୍ୟ ପ୍ରଭୁ ତୁମେ ହେ ବିଶ୍ଵ କର୍ତ୍ତା ।
ଶୀତ ସକାଳର କାକର ଟୋପାରେ
ପୁଷ୍ପ ନାୟିକା ଯେ ଗୋଲାପ ହସେ
ବିଦଗ୍ଧା ପଦ୍ମିନୀ ତପନଙ୍କ ପ୍ରେମୀ
ବିଷାଦ ବିରହେ ମଉଳି ବସେ |
ଶୀତ ସକାଳର କାକର ପରଶେ
ସୋରିଷ କ୍ଷେତରେ ଅପୂର୍ବ ଶୋଭା
ସୁନା ରଙ୍ଗେ ସାଜି ଆଭା ବାଣ୍ଟୁ ଥାଏ
ଦିଶୁଥାଏ ଆହା କି ମନୋଲୋଭା ।
ଶିଶିର ଭିଜା ଏ ଶୀତ ସକାଳରେ
ଦାଣ୍ଡେ ଲାଗିଅଛି ଧୁନୀ ସମ୍ଭାର
ଧୁନି ଚ଼ାରିପଟେ ସଭିଙ୍କର ମେଳି
ନିଆଁ ପୁଆଁ ଆହା କି ମଜାଦାର ।
ସୁମଙ୍ଗଳ ଶବ୍ଦ ପୁଣ୍ୟ ର ପ୍ରଦୀପ
ପ୍ରଭାତ ମଣ୍ଡିତ ପବିତ୍ର ଶବ୍ଦେ
ଘର ଚଉରାରୁ ସାତ୍ତ୍ଵିକ ବାରତା
ପଥ ପ୍ରାନ୍ତ ଦେଇ ପ୍ରଭୁଙ୍କ ପଦେ ।
ଶୀତ ସକାଳର କାକର ଦେଉଛି
ଜୀବନ ତତ୍ତ୍ଵର ଅପୂର୍ବ ବାର୍ତ୍ତା
କ୍ଷଣିକ ଜୀବନେ ଖୁସୀ ଦାନ କଲେ
ସନ୍ତୋଷ ଅମାର ଭରିବେ କର୍ତ୍ତା ।
ପାଦବ ରାଜିରେ ଶିଶିର ର ବୁନ୍ଦା
ଘାସ ଗାଲିଚ଼ାରେ ହୀରା ଛାଉଣୀ
ପ୍ରତ୍ୟୁଷ ପ୍ରଶାନ୍ତି କାର୍ତ୍ତିକର ନୀତି
ଲକ୍ଷ୍ମୀ ମାତାଙ୍କର ଶୁଭାଗମନୀ |
ଶୀତ ସକାଳ ର କାକର କୁହୁଡ଼ି
ସତେ ସମୟକୁ ଦ୍ରୁତ କରାଏ
ଚାହୁଁ ଚାହୁଁ ସୂର୍ଯ୍ୟ କେତେବେଳେ ଯାଇ
ପଶ୍ଚିମାଞ୍ଚଳରେ ଡୁବି ଯେ ଯାଏ l
ଶୀତ ସକାଳରେ କାକର ମୁକ୍ତାରେ
ସଜେଇ ହୋଇଛି ଧରଣୀ ରାଣୀ
ପବିତ୍ର ପ୍ରଶାନ୍ତି ପ୍ରଭାତର କାନ୍ତି
କାନେ ଶୁଭେ ପ୍ରଭୁ ନାମର ଧ୍ବନୀ |