ଶିଳ୍ପୀ
ଶିଳ୍ପୀ
କେହି ତାକୁ ବୁଝୁ ବା ନବୁଝୁ
ସିଏ କିନ୍ତୁ ତା ଘର ଚାରିପାଖେ
କେତେ ଫୁଲର ହାଟ ବସାଏ
ରଙ୍ଗବେରଙ୍ଗ ପୋଷାକ ପିନ୍ଧି
କ୍ଷଣିକେ ଭୁଲେଇଦିଏ ସାରାଜଗତ
ନିରବଧି ବିଞ୍ଚିଚାଲେ ମେଞ୍ଚାମେଞ୍ଚା ହସ
ଆର୍ତ୍ତ ମଣିଷ ମୁହଁରେ
ଅଥଚ !
ଦେଖି ବି ଦେଖି ପାରେନି ସିଏ
ଦାରିଦ୍ରତାର ବିଦ୍ରୁପ ହସ କେମିତି
ନିଚ୍ଛକ ପ୍ରତିଛବି ସ୍ୱରୂପ ଲଟେଇଥାଏ
ତା ସନ୍ତାନର ନୁଖୁରା କେଶରେ
ତେଣୁ ତ ନିଜେ ପାଲଟିଯାଏ
ଦୁଃଖର ନିଃଶ୍ଚୁପ ସମାଧିଟିଏ !
ପ୍ରକୃତିର ସୌନ୍ଦର୍ଯ୍ୟରେ ବିଭୋର ସିଏ
ସାଧନାର ପଥେ ତୂଳୀତଳ୍ପକୁ ସାଥିକରି
ଅଷ୍ଟଅଙ୍ଗରାଗରେ କାର୍ପଣ୍ୟ ନ କରି
ସଜେଇଦିଏ ମୁଣ୍ମୟୀ ପ୍ରତିମାଟିଏ
ଚନ୍ଦ୍ରର ସଫେଦ ଆଲୋକରେ
ପଢ଼ିପାରେ ମାନସୀ ଓଠର ଅକୁହା ଭାଷା
ପବନର ମତୁଆଲା ସ୍ୱରରେ
ଶୁଣିପାରେ ହୃଦୟର ସ୍ତୁପୀକୃତ ବେଦନା
ଅଥଚ !
ନଜର ନଥାଏ ତା ଦେହକୁ ଆଶ୍ରାକରି
ଲଟେଇଥିବା ନୀରିହା ଲତା
କେମିତି ଝାଉଁଳି ଶୁଖିଯାଏ
କ୍ରୁର ବୈଶାଖର ଝାଞ୍ଜିରେ
ତେଣୁ ତ ନିଜେ ପାଲଟିଯାଏ
ପତ୍ରବିହୀନ ଥୁଣ୍ଟା ଗଛଟାଏ !
ସିଏତ ନିଃସଙ୍ଗ ନାବିକଟିଏ
ଅତୀନ୍ଦ୍ରିୟ ଅନ୍ଵେଷା ନେଇ
ଉତ୍କଣ୍ଠାର ଆତିଶଯ୍ୟାରେ
ଭଙ୍ଗା ଆହୁଲାକୁ ସାଥିକରି
ମାଡିଚାଲେ ଆଗକୁ ଆଗକୁ
କେଉଁ ଏକ ଅନାମଧେୟ
ଅଜଣା ଦୀପର ସନ୍ଧାନରେ
ଅଥଚ !
ଭୃକ୍ଷେପ ନଥାଏ ସଂସାର ସିନ୍ଧୁରେ
ପାଣିଘେରରେ ହଲି ଦୋହଲି ଭାସୁଥିବା
ତା ଡଙ୍ଗାର ଭିତରେ ବାହାରେ ପାଣି
ବିଲୀନ କରିଦେବ ସମସ୍ତ ସତ୍ତା
ତେଣୁ ତ ନିଜେ ପାଲଟିଯାଏ
ଟୋପା ଟୋପା ଲୁହର ବନ୍ୟାଟିଏ !
