STORYMIRROR

Suvendra kumar Mohapatra

Tragedy

4  

Suvendra kumar Mohapatra

Tragedy

ଦାଦନ

ଦାଦନ

1 min
225


ତତଲା କଢେଇରେ ଅଧାଜଳା ଯୌବନ

ଡହ ଡହ ନିଆଁଧାସରେ ଦରସିଝା ଜୀବନ

ପଖାଳ କଂସାରେ ବନ୍ଧା ଅସହାୟ ଆୟୁଷ

ମୁହଁମାଡି ପେଟେଇ ପଡିଛି ଭାଗ୍ୟଭବିଷ୍ୟ !!

ଭିଟାମାଟିର ଶାଶ୍ୱତ ବନ୍ଧନକୁ ତୁଛ କରି

ଦେଶାନ୍ତର ହେବାକୁ ହୁଏ ଉଷ୍ମଲହୁ ନିଗାଡ଼ି

ଭୁଲିବାକୁ ହୁଏ ଚଉଦପୁରୁଷର ବୁନିଆଦ

ଦାଦନର ମୋହରରେ ପରିଚୟ ନିବିଡ !!

ଯେମିତି ବି ହେଉ କର୍ମସଂସ୍ଥାନ ପାଇଁ

ଆଗକୁ ବଢିବାକୁ ହୁଏ ଅଣ୍ଟା ସଳଖି

ଦାଦନର ମାଦଳାରେ ନାମ ନଥିଭୁକ୍ତ କରି

ମାନିନେବାକୁ ହୁଏ ବାବୁଭୈୟାଙ୍କ ସର୍ତ୍ତ !!

ଆଖି ଫେରାଇବାକୁ ନଥାଏ ଜୁ କି ସାମର୍ଥ୍ୟ

ହୁଏତ ଏଇଠି ହିଁ ଅଟକିଯିବ ପୈତୃକପ୍ରାଣ

କାହିଁ କେଉଁ ଅଫେରା ଅମଡ଼ାବାଟର ପଥିକ

କ୍ରୀତଦାସ ପ୍ରଥାରେ ବିକ୍ରିବଟା ଜୀବନ !!

ଆକ୍ୱାରିଅମର ଚାରିକାନ୍ଥରେ ନିରୁଦ୍ଧ ସ୍ବପ୍ନ

ପକ୍ଷୀଡେଣାରେ ପେଟପାଟଣାର ମୋହ

ବୁଢ଼ୀଅସୁରୁଣୀର ସାତତାଳ ପଙ୍କରେ

ଫରୁଆ ଭିତରେ ଅଣନିଶ୍ୱାସୀ ଜୀବିକା!!

ଯୁଆଡେ ଚାହିଁଲେ ନୈରାଶ୍ୟର ଧୂଳିଝଡ

ଦୁଃଖର ବଳୟରେ ପରିବ୍ୟାପ୍ତ ଆକାଶ

ନାଦାନ ଆତ୍ମଦାହରେ ବତୁରେ ତାରୁଣ୍ୟ

ଅସ୍ପଷ୍ଟ କପାଳରେଖାକୁ ନିନ୍ଦିବା ଯା ସାର!!

ପାସୋରିବାକୁ ହୁଏ ମାଟି ମଟାଳର ମୋହ

ନାର୍ଯ୍ୟ ପ୍ରାପ୍ୟପାଇଁ କାକୁସ୍ଥ ଗୁହାରିକଲେ

ଅବା ବଞ୍ଚିବାର ଅଧିକାରରେ ଦାବିକଲେ

ସହିବାକୁ ପଡେ ଗୋଇଠା ଅବା ବନ୍ଧୁକ ଢିଅ!!

ନିଶ୍ୱାସ ଟିକିଏ ପାଇଁ ବଳିପଡ଼େ ଈଛା

ବୃହନ୍ନଳା ଏଠି ମନ ଆଉ ବିବେକ

ଦାନାପାଣି ମରୁଦ୍ୟାନର ଅସହ୍ୟ ଝାଞ୍ଜି

ଦାଦନର ହୁକୁମନାମାରେ ସୁଖସ୍ୱାଛନ୍ଦ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy