STORYMIRROR

Suvendra kumar Mohapatra

Inspirational

4  

Suvendra kumar Mohapatra

Inspirational

ମୋ ବାପା

ମୋ ବାପା

1 min
157


ବାପା ଅଭେଦ୍ୟ ବର୍ଣ୍ଣବୋଧଟିଏ

ଯୁକ୍ତାକ୍ଷର ଭଳି ଛନ୍ଦାଛନ୍ଦି ତାଙ୍କ ଜୀବନ

ତଥାପି ପ୍ରେରଣାର ଉତ୍ସଟିଏ

ପ୍ରତିଶ୍ରୁତିର କଳ୍ପବଟଟିଏ

ମନୁସଂହିତାର ଛାନ୍ଦଟିଏ

ମାଟିମଟାଳର ନିର୍ବିକାର ମଣିଷଟିଏ !!


ତାଙ୍କପାଇଁ ଖେଳର ଜିତାପଟ ମୋର

ବାଡି଼ବଗିଚାର ସବୁତକ ଫଳ ମୋର

ତାଙ୍କ କାନ୍ଧ ମୋ ପାଇଁ ଆକାଶ

ତାଙ୍କ କୋଳ ମୋ ପାଇଁ ପୃଥିବୀ

ସେ ତ ଭାଗବତ ଟୁଙ୍ଗୀର ପୋଥି

କେତେବେଳେ ଅଷ୍ଟାଦଶ ମହାପୁରାଣ !!


ମୁଁ କାନ୍ଦିଲେ ସେ ହସେଇ ଦିଅନ୍ତି

ମୁଁ ରାଗିଲେ ସେ ମନେଇ ଦିଅନ୍ତି

ସେ ମୋ ମାଟିସିଲଟର ପହିଲି ଓଁକାର

ସେ ତ ମୋପାଇଁ ଭଗବାନ ବିଷ୍ଣୁ

ମୁଁ ତ ମୁଢ ଶ୍ରୀବତ୍ସ ବ୍ରାହ୍ମଣ

ବହୁବାର ତାଙ୍କ ଛାତିରେ ଆଙ୍କିଛି ପାଦଚିହ୍ନ!!


କେଜାଣି କେଉଁ ଉପାଦାନରେ ଗଢ଼ା ବାପା

ସବୁ ଯନ୍ତ୍ରଣାକୁ ହୃଦୟରେ ଚାପି

ସମସ୍ତଙ୍କ ଖୁସିରେ ଖୁସି ହୁଅନ୍ତି

ସମସ୍ତଙ୍କ ମୁହଁରେ ହସ ଫୁଟାନ୍ତି

ପରିବାରର ବୋଝ ବୋହିଚାଲନ୍ତି

ନିଜେ ଜଳି ଅନ୍ୟପାଇଁ ଆଲୋକବର୍ତ୍ତିକା ସାଜନ୍ତି!!


ମାଗିବା ଆଗରୁ ସବୁ ପୂରଣ କରନ୍ତି

ସେଥିପାଇଁ ତ ମୁଁ ଆଗକୁ ଆଗକୁ ଦୌଡୁଛି

ଝୁଣ୍ଟିପଡ଼ିବାର ଭୟ ମୋର ନାହିଁ

ବାପା, ମୋର ପ୍ରେରଣା ଓ ପରିଚୟ

ସେ ମୋର ଧର୍ମ ଅର୍ଥ କାମ ମୋକ୍ଷ

ଚତୁଃବର୍ଗ ଫଳ କେଉଁ ପ୍ରାରବ୍ଧ କର୍ମର !!


ମୋ ଜୀବନ ଜାତକରେ ହାରିବା ଶିଖିନି

ସବୁ ଦୁଃଖ କଷ୍ଟରେ ଠୋକର ଖାଇ ବଞ୍ଚିବା

କୌଶଳତ ତାଙ୍କଠାରୁ ଶିଖିଛି

ସେ ତ ମୋର ଧ୍ୟାନ ଓ ତପସ୍ୟା

ଜନ୍ମ ଜନ୍ମାନ୍ତର ମୋ ପାଇଁ ଜୀବନ୍ତ ଠାକୁର

ତାଙ୍କ ପୂଜା ମୋ ସିଦ୍ଧି ଓ ସାଧନା ବାହାରେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational