ସୁନା ସୂତା
ସୁନା ସୂତା
ବାନ୍ଧି ଦେଲି ଭାଇ ହାତେ ଖିଏ ସୂତା
ଭାବି ନେବ ସୁନା ସୂତା
ଭାଗ୍ୟବାନ ମୁହିଁ ନିଜକୁ ମଣୁଛି
ସଙ୍ଗେ ଅଛ ତୁମେ ଭ୍ରାତା ।।
ସୁଭଦ୍ରାଙ୍କ ଭଳି ମୁଁ ତୁମ ଭଉଣୀ
ଭାବିବନି କେବେ ପର
ଦାରୁବ୍ରହ୍ମ ଭଳି ଥିବ ଜଗୁଆଳି
ଏତିକି ଅଳି ମୋହର ।।
ମୋ ରକ୍ଷା କବଚ ସାଜି ରହିଥିବ
ଜନମୁ ମରଣ ଯାଏ
ଗୋଟିଏ ବୃନ୍ତର ଦୁଇଗୋଟି ଫୁଲ
ମମତାରେ ବାନ୍ଧି ହୁଏ ।।
ଭାଇ ଭଉଣୀର ସୁଦୃଢ଼ ସମ୍ପର୍କ
କେବେ ତ ତୁଟଇ ନାହିଁ
ମୋ ସୁଖରେ ସୁଖୀ ମୋ ଦୁଃଖରେ ଦୁଃଖୀ
ସଦା ରହିଥିବ ଭାଇ ।।
ବରଷକେ ଥରେ ମୋ ଭାଇ ହାତରେ
ବାନ୍ଧୁଥିବି ରାଖି ମୁହିଁ
ଯେଉଁଠି ଥିଲେବି ଯେମିତି ଥିଲେ ବି
ମମତା ତୁଟଇ ନାହିଁ ।।
ଝିଅ ଜନମ ତ ପରଘରକୁ ଯେ
ଯିବି ଦିନେ ବିଦା ହୋଇ
ଏଇ ହାତେ ଦିନେ ବିଦା କରିଦେବ
ମମତା ଭୁଲିବ ନାହିଁ ।।
