ଅପରିଚିତ
ଅପରିଚିତ
ଭୁଲି ଯାଉଅଛି ମାନବତା ଧର୍ମ
ନିଜ ଆତ୍ମ ପରିଚୟ
ସ୍ବାର୍ଥେ ବିଜଡ଼ିତ ଆଜିର ମାନବ
ରଚଇ ଧ୍ବଂସ ପ୍ରଳୟ ।
ବୃଦ୍ଧି କରିଚାଲେ ଅପବ୍ଯବହାର
ଲଙ୍ଘନ ମର୍ଯ୍ୟାଦାର ସୀମା
ଭାବଇ ନିଜକୁ ସର୍ବ ଶକ୍ତିମାନ
ଦେଖାଏ ଆତ୍ମବଡିମା ।
ଲଗାଏନି ଗଛ ରଖିନାହିଁ ସ୍ବଚ୍ଛ
ଚର୍ତୁପାର୍ଶ୍ବ ପରିବେଶ
ପହଁରେଇ କୁହୁଡି ଦ୍ରୁତ ଗତିବେଗ
ଆୟୂକାଳ ହୁଏ ହ୍ରାସ ।
ଘୋଟି ଆସେ ବ୍ଯାଧି ରୋଗ ମହାମାରୀ
ଅମାରାତି ଅନ୍ଧକାର
ଦିଶେ ଦଶଦିଶ ଖାଲି ଧୂଆଁ ଧୂଆଁ
ଅସାର ଶୂନ୍ଯ ସଂସାର ।
ପ୍ରଦୂଷଣ କ୍ଷୀର୍ଣ ଜୀବନ ଉଚ୍ଛନ୍ନ
ହଜିଯାଏ ସୁବିଶ୍ବାସ
ଲାଗନ୍ତି ଆପଣା ଶତ୍ରୁ ସାତପର
ଅମୃତେ ଭରଇ ବିଷ ।
ବୈକୁଣ୍ଠ ସମାନ ଘର ପରିବାର
ଜୀବନ କାଳିନ୍ଦୀ ତଟ
ଦଂଶନ ଆତଙ୍କୁ ନୁହେଁ ନିରାପଦ
କାଳୀୟ ଜ୍ବାଳା ଉତ୍କଟ ।
ନାହିଁ ସ୍ନେହ ପ୍ରେମ ମମତା ମଧୁର
ଆତ୍ମୀୟତା ନିବିଡତା
ଲାଗେ ଦୁର୍ବିସହ ଜୀବନ ଯନ୍ତ୍ରଣା
ବଢଇ ଅସାମାଜିକତା ।
ଦୂରେଇ ଯାଉଛି ନିଜକୁ ମଣିଷ
ଅପରିଚିତ ବିଚ୍ଯୁତ
ସତ୍ଯ ସନାତନ ଅଭାବ ସୌନ୍ଦର୍ଯ୍ୟ
ଅନିର୍ଦ୍ଦିଷ୍ଟ ଲକ୍ଷ୍ଯପଥ ।
