ଶୀତୁଆ ସଞ୍ଜ
ଶୀତୁଆ ସଞ୍ଜ
ତର ତର ହୋଇ ତପନ
ଅସ୍ତାଚଳେ ଗମନ୍ତି
ସତେ ଅବା ଡରି ଶୀତକୁ
ଘରେ ଫେରି ଯାଆନ୍ତି।
ଶୀତୁଆ ସଂଜଟା ଆସୁଛି
ସଙ୍ଗେ କୁହୁଡି ନେଇ
କାକର ବରଷା ବାରତା
ସିଏ ବାଣ୍ଟି ଦିଅଇ ।
ଶୀତୁଆ ସଂଜଟା ଆସିଛି
ପ୍ରତି ଗାଁ ଦାଣ୍ଡରେ
ଧୂନୀ ଜାଳି ଶୀତ ଛଡାନ୍ତି
କେତେ ଭିଡ଼ ଯେ ଜମେ ।
ତର ତର ହୋଇ କୃଷକ
ତାର ଘରେ ଫେରୁଛି
ଶ୍ରମିକ ବାପୁଡ଼ା କର୍ମରୁ
ଘର ମୁହାଁ ହୋଇଛି ।
ଗାଁ ଦାଣ୍ଡେ ଦେଖ ଶଗଡ଼
କଳେଇ ରେ ସୁନ୍ଦର
ହରଷେ ଆଣୁଛି କୃଷକ
ମୁଖେ ହସ ଜୁଆର ।
ଶୀତୁଆ ସଂଜ ଟା ଆସୁଛି
ଭଙ୍ଗା କୁଡିଆ ଘରେ
ଅସ୍ତ ବ୍ୟସ୍ତ ସର୍ବେ ବିକଳ
ଛିଣ୍ଡା କନ୍ଥା ସାଉଁଟେ ।
ଗରମ ପୋଷାକ ସପନ
ଦେଖିବାକୁ ତା ମନା
ଛିଣ୍ଡା ଲୁଗା ଦେହେ ପକାଇ
ଖୋଜେ ଧୂନୀର ନିଆଁ ।
ଶୀତୁଆ ସଞ୍ଜଟା ଆସୁଛି
ପ୍ଲାଟ୍ ଫର୍ମ ସମୀପେ
ଶୀତେ ଜୁଡୁ ବୁଡୁ ମାଧିଆ
ନିଜ ଭାଗ୍ୟକୁ ନିନ୍ଦେ ।
ଅମାନିଆ ଶୀତ ମାନୁନି
ପଶେ ଛିଣ୍ଡା କମ୍ୱଳେ
ରାତି କଥା ଭାବି ମାଧିଆ
ଆଖିରୁ ଲୁହ ଢ଼ାଳେ ।
ଶୀତୁଆ ସଞ୍ଜଟା ଆସୁଛି ପୁଣି
ସଜେଇ ହୋଇ
ଗରମ ପୋଷାକ ମଣ୍ଡିତ
ଶୀତ ଯାଏ ପଳେଇ ।
ଶୀତୁଆ ସଂଜଟା ଆସୁଛି
ବସ୍ତି ନିଚା ଚାଳରେ
ଚାରି ଆଡୁ ପଶେ ପବନ
ଦେହ ଥରି ଯେ ଉଠେ ।
ମାଆ ପେଟେ ମୁଣ୍ଡ ଗୁଞ୍ଜି ଯେ
ଶିଶୁ ଉଷୁମ ଚାହେଁ
ବେଦନାରେ ଭରେ ଅନ୍ତର
ରାତ୍ରୀ ଭୟ ଦେଖାଏ ।
ଶୀତୁଆ ସଂଜରେ କୁକୁର
ଲାଞ୍ଜ ଜାକି ଯେ ଭୁକେ
ରାତ୍ରୀରେ କେଉଁଠି ରହିବ
ଯାଗା ଖୋଜୁ ଯେ ଥାଏ ।
ବିଲେଇ ଏପଟ ସେପଟ
ଚୁଲି ପାଉଁଶ ଖୋଜେ
କେଉଁଠୁ ପାଇବ ପାଉଁଶ
ଚୁଲି କାହିଁ ବା ଜଳେ ।
ଚାଲ ସର୍ବେ ଶୀତ ସଞ୍ଜରେ
ଟିକେ ବୁଲି ଆସିବା
ବସ୍ତି ପ୍ଳାଟଫର୍ମ ରାସ୍ତାର ଦୃଶ୍ୟ
ଦେଖି ଆସିବା ।
ନୁଆଁଣିଆ ଚାଳ ଘରକୁ ଟିକେ
ପଶି ଯେ ଯିବା
ଘର ଭିତରର ବ୍ୟଥାକୁ
ଅନୁଭବ କରିବା ।
ଶୀତୁଆ ସଂଞ୍ଜରେ ଟିକିଏ ବସି
ସୁବିଚାର କରିବା
ନିଜ ସମ୍ବଳର ହିସାବେ
ସହଯୋଗ କରିବା ।
(ତଥାପି) ଶୀତୁଆ ସଂଜର ଶୋଭା ଯେ
ମନ ହରଣ କରେ
କୁହୁଡି ଘେରା ଯେ ଆକାଶ
ପକ୍ଷୀ ଘରେ ବାହୁଡେ ।
ତଥାପି ତ ଋତୁ ଚକ୍ରକୁ
ଧରା ସ୍ଵାଗତ କରେ
ଦୁର୍ବିସହ ହେବ ଜୀବନ
ଏହା କହେ କାନରେ ।