ଶୀତରାଣୀ ଖୋଲ ସୁଖ ପସରା
ଶୀତରାଣୀ ଖୋଲ ସୁଖ ପସରା
ଭବ ସାଗରରେ ଜୀବନର ତରୀ
ପାଉନି କୂଳ କିନାରା
ଅନୁକୂଳେ ତୁମେ ବହିବ ସଧୀରେ
ଶୀତଳ ବାୟୂ ଉତ୍ତରା ।
କିଏ ସେ ବସିଛି ପଟୁଆ ବୋଇତେ
ଫୁଟା ମୋ ନାବ ଦଦରା
କରିଛି ଆଶରା ଶୀତରାଣୀ ତୁମେ
କରିବନି ବେସାହାରା ।
ଜୀବନର ପଥେ ପ୍ରତିଘାତ ଘାତ
ଆସେ କେତେ ବାଧାବିଘ୍ନ
ନିଘଞ୍ଚ ଅରଣ୍ୟ ଅନ୍ଧକାର ଘନ
ଦିଶେ ଦଶଦିଶ ଶୂନ୍ଯ ।
ମରୀଚିକା ଦେଖି ପିଆସୀ ପରାଣ
ହେଉଛି ଦଗ୍ଧ ଅଥୟ
ମିଛମାୟା ପଛେ ଭ୍ରମୁଛି ଭ୍ରମରେ
କସ୍ତୁରୀ ମୃଗ ପରାୟ ।
ନାହିଁ ସୁବିଶ୍ବାସ ଅଭାବୀ ମଣିଷ
ହରାଏ ଆତ୍ମ ପ୍ରତ୍ଯୟ
ଖୋଜୁଛି ପ୍ରଶାନ୍ତି ଆତୁର ଜୀବନ
ନାହିଁ ଅଭୟ ଆଶ୍ରୟ ।
ତୁମେ ତ ପ୍ରକୃତି ବିମଳ ସ୍ବରୂପା
ସୌଭାଗ୍ଯ ସୁଖ ପସରା
ଅକପଟ ତୁୁମ ସମ୍ବନ୍ଧ ଆତ୍ମିକ
ହେଉ ଶୁଭ ମଧୁକ୍ଷରା ।