ଶୀତର ସ୍ପନ୍ଦନ
ଶୀତର ସ୍ପନ୍ଦନ
ସକାଳର କୁହୁଡିଆ ଖରାରେ
ଛାତି ଭିତରଟା ଜଳେ
ଏମିତି ଶୀତୁଆ ରାତିରେ
ଜୀବନର ସଙ୍ଗୀତ ଘୋଷୁ ଘୋଷୁ
ଆସିଯାଏ ବିରହୀ କଣ୍ଠରେ
ଅମାନିଆ ବେସୁରା ରାଗିଣୀ ।
ବୁଝିବାର ଲୋକ ହିଁ ବୁଝିବ
ମୁଁ କିନ୍ତୁ
ଜାଣି ପାରେନାହିଁ
ସେ ସଙ୍ଗୀତର ଅର୍ଥ
ଜଳି ଜଳି ଜଳିଯାଏ
ସତେ କିବା
ଆଉ ଏକ କାହାର ଜୀବନ
ଆସ୍ତେ ଆସ୍ତେ ଲିଭିଯାଏ
ଧିମେଇ ଯାଏ
ମୋର ପ୍ରତିଟି ସ୍ପନ୍ଦନ ।
କିଏ କାହାର ବିରହର ସ୍ବରେ
ଜଳି କିବା ସ୍ବାଗତ ମୃତ୍ୟୁକୁ
ଅପେକ୍ଷାର ସମୟ ସ୍ରୋତରେ
ଲମ୍ବିଯାଏ ପାଖ ରାସ୍ତା
କାହିଁ କେତେ ଦୂର
ମନ ହୁଏ ଛୁଇଁବାକୁ
ସମୁଦ୍ରର ଭିନ୍ନ କୂଳରେ
ଉଇଁ ଆସୁଥିବା
ସୁନେଲି ସ୍ବପ୍ନର ଜହ୍ନକୁ ।
ଶୀତ ଷ୍ଟେସନର ଝୁମ୍ପୁଡି ତଳୁ
ବୁଲା କୁତିର କରୁଣ କ୍ରନ୍ଦନରେ
ଭୋକିଲା ପେଟରେ
ଅନେକ ଶାବକ
ଅଣ୍ଡାଳି ହୁଏ ମାଆର ସ୍ତନ ।
ଚା ବିକୁଥିବା ଷୋଢଶୀ
ଯୁବତୀର ବାମ୍ଫ ଉଠୁଥିବା
ଚା କେଟଲିର ବାସ୍ନାରେ
ମହକି ଯାଉଛି
ତାର ସଜ ଫୁଟା ଉତ୍ତପ୍ତ ଯୌବନ ।
ନେପାଳୀ ଝିଅଟିର
ପିନ୍ଧା ସୁନ୍ଦର ଉଲର
ଚିପା ପୋଷାକ ଭିତରେ
ସ୍ବପ୍ନ ସବୁ ବୋଝେଇ ହୁଏ
ବିଛେଇ ହୋଇଯାଏ
ତାର ଉଲ ବସ୍ତାର ବୋଝରେ ।
ଶୀତଟା ଧିରେ ଧିରେ
ବୋଝେଇ ହୋଇଯାଏ
ମୋର ପ୍ରତ୍ୟେକ ଅଙ୍ଗରେ
ହୃଦୟଟାରେ କମ୍ପନ ଉଠେ
କେଉଁ ଏକ ଅଜଣା ଶିହରଣ
ମନଟା ଅମାନିଆ ଅବୁଝା ଲାଗେ
ଏ ଶୀତୁଆ ସନ୍ଧ୍ୟାରେ
ଶୀତର ସ୍ପନ୍ଦନ ।

