ଶୀତର ଅନୁଭୂତି
ଶୀତର ଅନୁଭୂତି
ଏହି ଶୀତ ଦିନେ ରାତି ପରା ବଡ଼
ଦିନ ହୋଇଥାଏ ସାନ
ସୂରୁଜ ସଅଳ ଅସ୍ତ ହେବା କ୍ଷଣି
ହୁଏ ଦିନ ଅବସାନ l
କେଉଁଠାରେ ଶୀତ ଲୁଚି ରହିଥାଏ
ଆସେ ନିମିଷକେ ମାଡ଼ି
ଶୀତ ପ୍ରକୋପରେ କଷ୍ଟ ପାଇଥା'ନ୍ତି
ପିଲାଠାରୁ ବୁଢ଼ାବୁଢୀ ।
ଗହଳ ଚହଳ କମି କମି ଆସେ
ବାହାରେ ପଡ଼େ ଶିଶିର
କାଲୁଆ ବାଆରୁ ବରତିବା ପାଇଁ
ରଖନ୍ତି ବୁଜି ଦୁଆର ।
ଶୀତ ପୋଷକରେ ପାଦ ଓ ଦେହକୁ
ରଖନ୍ତି ସଭିଏଁ ଢ଼ାଙ୍କି
କନ୍ଥା କମ୍ବଳରେ ଘୋଡ଼େଇ ଶୁଅନ୍ତି
ଶୀତ ପାରେନାହିଁ ପଶି ।
ସକାଳୁ ପ୍ରବଳ କୁହୁଡ଼ି ପଡ଼ଇ
ବାଟ ଘାଟ ଦିଶେ ନାହିଁ
ଏଥିଯୋଗୁଁ ନାନା ଦୁର୍ଘଟଣା ଘଟି
ବିଶେଷ କ୍ଷତି ଘଟଇ ।
ଶୀତ ସକାଳରେ ଗାଁ ଗହଳିରେ
ଜାଳି କିଛି କୁଟା କାଠି
ନିଆଁ ପଇଁ ହୋଇ ସତେଜ ହୁଅନ୍ତି
ଲୋକେ ଯେ ବସି ଏକାଠି ।
ମଲମ ଲଗାନ୍ତି ଯେହେତୁ ଶୀତରେ
ମୁହଁ ଓଠ ଯାଏ ଫାଟି
ପାଣି ଉଷୁମେଇ ପିଅନ୍ତି ଯେହେତୁ
ହେମାଳ ଲାଗଇ ପାଟି ।
ଖବରକାଗଜ ପଢ଼ନ୍ତି ସକାଳେ
କଅଁଳ ଖରାରେ ବସି
ସ୍ନାନ କରିବାକୁ ଡରନ୍ତି ଶୀତରେ
ଲୋକେ ନଈନଳେ ପଶି ।
ପନିପରିବା ଓ ମୁଗ ବିରି ଧାନ
ଶୀତେ ହୁଏ ଉତ୍ପାଦନ
କଷ୍ଟ ହେଲେ ମଧ୍ୟ ଶୀତଋତୁ ଭଲ
ଖୁସି ଥାଏ ଚାଷୀ ମନ ।
