ଶୀତଳ ଛୁଆଁ
ଶୀତଳ ଛୁଆଁ
ଆଘାତ ଦିଅନା ଶୀତୁଆ ସନ୍ଧ୍ୟାଲୋ,
ତୋ ଆଘାତେ ଯାଏ ଥରି ।
ଏମନ ଜଳୁଛି ବିରହ ନିଆଁରେ
ପ୍ରିୟା କଥା ଝୁରି ଝୁରି। 0।
ଶୀହରଣ ଭରି ଯାଉଚି ଏ ଦେହେ
ଛୁଇଁ ଗଲେ ତାର ସ୍ମୃତି।
ନିଶୀଥ ଆକାଶେ ଜହ୍ନ ରହିଯାଏ
ସହଜେ ପାହେନା ରାତି ।
ମୁଠା ମୁଠା ସ୍ୱପ୍ନ ହାତ ଛଡା ହୁଏ
ପାରେନା ନିଜର କରି ।୧।
ଅଳସି ଶେଜରେ କଡ ଲେଉଟାଏ
ନିରାଶାର ଦୀର୍ଘଶ୍ୱାସ
ନିଶା ଭରା ଏଇ ଫେନିଳ ତରଙ୍ଗେ
ଦେଖେ ମଧୂଝରା ହସ ।
ତା' ସ୍ମୃତି ଦଂଶନେ ଆହତ ହୁଏ ଯା'
ମେଞ୍ଚାଏ ଅନ୍ଧାର ଧରି ।୨।