ଶୀତ
ଶୀତ
ଶୀତ ଆସେ ପଉଷ ମାସର ଅଳସୀ ଫୁଲରେ,
ଶୀତ ଆସେ ପେନ୍ଥା ପେନ୍ଥା ଡିସେମ୍ବର ଶୁଭ୍ର କୁସୁମରେ;
ବିବଶ କରେ ଜୀବନ ତା କୋହଲା ପବନ,
ପ୍ରକୃତି ଦିଶେ କେମିତି ସତେ ବିଷର୍ଣ୍ଣ ବିବର୍ଣ୍ଣ ।।
ଶୀତ ଆସେ କୁହୁଡି ଶୁଭ୍ର ଚାଦର କରି ଆଚ୍ଛାଦିତ,
ଟୋପି ଟୋପି କାକର ଦେହରେ,
ଗୀତ ଗାଏ ଚଣା ଶାଗ ଷୋରିଷ ର କ୍ଷେତ;
କେଶବ ପୁଷ୍ପ ସମ୍ଭାରେ;
ଗାଇ ଗାଇ ଅମୀୟ ସଙ୍ଗୀତ ।।
ଶୀତ ରେ ଚିଲିକା ର ବିହଙ୍ଗ ସଙ୍ଗୀତ,
ଶୀତ ରେ ବଣ ଭୋଜି ଅନନ୍ୟ ମୂହୁର୍ତ୍ତ;
ଶୀତ ରେ ସଉଖିନ ପୋଷାକରେ ଅପରୂପ ଚିତ୍ର,
ଶୀତ ପୁଣି ପ୍ରକୃତିର ଅଭିନ୍ନ ଅନ୍ୟ ଏକ ଅଜବ ମଇତ୍ର ।।
ଶୀତ ଆସେ ଆମ୍ଵ ବଉଳ ରେ,
ହଳଦୀ ବସନ୍ତ ର ଲୁଚକାଳି ଖେଳରେ,
କୋଇଲି ର କଜଳ ଦେହରେ,
ଶୀତ ଆସେ ମଣ୍ଡା ଗଇଁଠା ପିଠାରେ,
ଶୀତ ଆସେ ମକର ଚାଉଳର ଅପୂର୍ବ ସ୍ଵାଦରେ ।।
ଶୀତ ହସେ ସହର ତଳି ଝୁମ୍ପୁଡି ଘର ବାରଣ୍ଡାରେ,
ଶୀତ ହସେ ଗରିବ ପିଲାର ଫୁଙ୍ଗୁଳା ଦେହରେ,
ଶୀତ ହସେ ସଞ୍ଜରୁ ସକାଳ ଯାଏଁ ଅନ୍ଧାର ରାତିରେ;
ୟେ ହସ ଶୀତର,
ସତରେ କେତେ ନିର୍ଦୟ..!
ଗର୍ବ କେତେ ଅହଂକାର, ୟେ ଶୀତ ରାତିର ।।
ଶୀତ ହାରିଯାଏ କୃଷକ ର ଧାନସୀଶା କଳେଇ ଗୋଛାରେ,
ଶୀତ ହାରିଯାଏ ଧନୀକର ତୁଳିତଳ୍ପ ପଲ୍ୟଙ୍କର ରେଜେଇ ପାଖରେ,
ଶୀତ ହାରିଯାଏ ଖୋଲା ପଡ଼ିଆରେ ଗୁଡି ଉଡା ନଟେଇ ସୂତାରେ,
ଶୀତ ହାରିଯାଏ ପ୍ରେମିକା ର ପ୍ରେମ ଫାଶ ଛନ୍ଦା ବାହୁ ବନ୍ଧନରେ ।।
ଶୀତ ଡରେ ଆଈ ମାଆ ଉହ୍ମେଇ ନିଆଁକୁ,
ଶୀତ ଡରେ ମୋ ବୋଉର ଉସୁମ କୋଳକୁ,
ଶୀତ ଡରେ ମାଧିଆ ଅଜାର ଚିଲମ ଧୂଆଁକୁ,
ଶୀତ ଡରେ ମଧୁଶାଳା ପିଆଲାର ଶେଷ ଚୁମ୍ଵନକୁ ।।
ଶିତ ଏକ ମଧୁର ଯନ୍ତ୍ରଣା,
ଶୀତ ପୁଣି ପ୍ରେମର ପ୍ରେରଣା ।।
