ଶୀତ
ଶୀତ
ପାଣି ପବନ ନହୁଏ ମନ
ଦେହ ଯାଉଛି ଥରି,
ଗରମ କତି ସରଧା ମତି
ପୋଷାକ ଦେହେ ଭରି।
ଶୀତ ସକାଳ ଲାଗଇ କାଳ
ନିଆଁ ନିକଟେ ବସି,
ସେକି ହେବାକୁ ଝାସ ନେବାକୁ
ହାତ ପାପୁଲି ଘଷି।
ଗରମ ଭାତ ଚଳଇ ହାତ
ବରା ପକୁଡ଼ି ଛଣା,
ଶୀତ ରାତିରେ ହେଂଶ ସାଥିରେ
ଘୋଡେ଼ଇ ହେବା ଜଣା।
କାକର ଝରେ ଘାସ ଉପରେ
ବାଜିଲେ ଗୋଡ ଥରେ,
ଗରମ ଜଳ ସିନାନ ବଳ
ଶୋଇବା ରହି ଘରେ।
ପନିପରିବା ମାନ ଖାଇବା
କୋବି ବିଲାତି ମୂଳା,
କାଞ୍ଜି ପାଣିର ସୁଆଦ ଜାଣି
ପିଇବା ଚଳା ଚଳା।
ଆରାମ ରାତି ଦିନରେ ମାତି
କରିବା ପରିଶ୍ରମ,
ଶରୀର ହିତ ହୋଇବା ସ୍ଵସ୍ଥ
ନହେବ ମତି ଭ୍ରମ।
ବିଲ ପ୍ରାନ୍ତର ପରି ମନ୍ତର
ଶସ୍ୟ ଶ୍ୟାମଳ ଖେତ,
କୃଷକ ଭାଇ ରାଗେଣି ଗାଇ
କାଟଇ ଧାନ ସେତ ।
ଭରିଛି ଖଳା କଚଡା ମେଳା
ପୂରଇ ଘର ଧାନ,
ଗୋହିର ବାଟ ଲାଗିଛି ହାଟ
ବୁହେ ଶଗଡ଼ ଜାନ ।
ଲକ୍ଷ୍ମୀ ମାତା ଧରନ୍ତି ଛତା
ବସଇ ମାଣ ଘରେ,
ଶୀତ ଦିନର ଅଭୁଲା ଚିହ୍ନ
ସୁଖ ଆନନ୍ଦ ଭରେ।