ରାତି ହେଲେ
ରାତି ହେଲେ
ରାତି ହେଲେ କାହିଁକି କେଜାଣି
ଅଜଣା ଭୟ ଛାତିକୁ ଥରାଇଦିଏ
ଦିବସର ଚଞ୍ଚଳତାରେ ବୁଡିଯାଇଥିବା ମନ
ଆଞ୍ଜୁଳାଏ ଅବସାଦକୁ ଆପଣାର କରି
ଡହଳ ବିକଳ ହୁଏ ।
ଅନ୍ଧକାର ଭିତରେ ଶୂନ୍ୟତାର ବିକଟାଳ ରଡି
ଧୈର୍ଯ୍ୟ ସବୁକୁ ଚୁରମାର କରି
ଜୀବନକୁ ଉପହାସ କରେ ।
ରକ୍ତ ମାଂସର ବିରାଟ ଶରୀରଟା
ଅସୁସ୍ଥ ଅନୁଭବ କରି
ବିବଶ ହୋଇପଡେ ।
ପରିସ୍ଥିତିକୁ ଆପଣାଇ ନେଇଥିବା ଜୀବନଟା
ହତୋତ୍ସାହ ହୋଇ
ନିରାଶକୁ ସାଥି କରିନିଏ ।
ଅଯାଚିତ ଚିନ୍ତା
ଚେତନାକୁ ଦୋହଲାଇ
ନିଜର ପ୍ରଭାବ ବିସ୍ତାର କରେ ।
ଆଶା ଆଉ ସ୍ୱପ୍ନ ମନ ଦିଗବଳୟରେ
ଭସାମେଘ ସାଜି
କୋହ ଆଉ ଲୁହର ଧାରରେ ଆଖିକୁ
ଭିଜାଇଦିଏ ।
ଜୀବନର ବାଟ ସରିଯିବ ବୋଲି
ଆଶଙ୍କାକୁ ଜଡେଇ ଧରି
ପ୍ରାଣଟା ଅସରନ୍ତି ମୋହରେ
ଆକ୍ତମାକ୍ତା ହୋଇଉଠେ ।
ଶେଯ ଉପରେ ନିଦ୍ରାକୁ ଆଲିଙ୍ଗନ କରି
ଆଖି ଦୁଇଟି ନିସ୍ତେଜ ହୋଇ
ଅକଳନ ଅସମ୍ଭବ ଦୃଶ୍ୟସବୁ ଆଙ୍କିବସେ ।
ଭାରି ସରଳ ସୁନ୍ଦର ଜଣାପଡୁଥିବା
ଜୀବନଟା
ଚକ୍ରବ୍ୟୁହକୁ ଭେଦ କରି
ଅଣନିଃଶ୍ଵାସୀ ହୋଇଯାଏ ।
ଚାରିକାନ୍ଥ ଭିତରେ ଥାଇ
ବିସ୍ତୀର୍ଣ୍ଣ କୁହୁକବନରେ
ରାସ୍ତା ଖୋଜୁ ଖୋଜୁ
ବୋଧ ହୁଏ ଅନ୍ଧାର ହାରିଯାଏ
ଆଲୋକର କିୟତ ଅଂଶରେ
ମନରେ ନୂଆ ଉନ୍ମାଦନା ଭରିଯାଏ ।