ନିଦାଘ
ନିଦାଘ
ଭୋକିଲା ସିଂହ ପରି ମାଡିଆସୁଛି
ବୈଶାଖର ନିଦାଘ,
ଉତ୍ତପ୍ତ ସୂର୍ଯ୍ୟରଶ୍ମୀର ସ୍ପର୍ଶରେ
ପୃଥିବୀ ଭୀତତ୍ରସ୍ତ,
ଭୁଲିଯାଇଛି ତା' ଅନ୍ତରରୁ ନିସୃତ ଭାବାବେଗକୁ ।
ଶ୍ରୀହୀନ ତାହାର ଶ୍ୟାମଳିମା ଚେହେରା,
ମଳିନ,ନିରସ, ଶୁଷ୍କ ଅବୟବ ,
ପଥପ୍ରାନ୍ତ ନିର୍ଜନ,ନିସ୍ପନ୍ଦ,
ପଶୁପକ୍ଷୀଠାରୁ ବୃକ୍ଷଲତାପର୍ଯ୍ୟନ୍ତ
ଡହଳବିକଳ,
ଝାଞ୍ଜି ପବନ ଯେମିତିଜଳାଇ ଦେଉଛି
ତା' ଶରୀର ଓ ପ୍ରାଣକୁ ।
ରୋଗୀଣା ନାରୀଟି ପରି
ପ୍ରକୃତି ପଡିରହିଛି,
ମାଟି ଫାଟି ଆଁ କରି ରହିଛି
ତୃଷାର୍ତ୍ତ ଆଖିରେ ଚାହିଚାହିଁ ମେଘକୁ ।
ସ୍ଵଛ ଜଳରାଶି ଲୁଚିଯାଇଛନ୍ତି ପୃଥିବୀ ଗର୍ଭରେ,
ହେଇ ଦେଖୁନ ଗାଁ 'ର ଝିଅ ବୋହୁମାନେ
ଶୂନ୍ୟ ମାଠିଆକୁ ଧରି,
ଦୁଇବୁନ୍ଦା ଜଳ ପାଇଁ ଚାଲିଯାଉଛନ୍ତି,
ମାରିଦେବେ ନିଜ ଓଠର ଶୋଷିଲା ପଣକୁ ।
କୃଷ୍ଣଚୁଡା ଫୁଲ ସାନ୍ତ୍ୱନା ଦେଉଛି କି ସତେ !
ପ୍ରକୃତିରାଣୀକୁ ,
ଦୁଃଖ ଚାଲିଯିବ,
ସୁଖର ପସରା ନେଇ ଆସିବ
ବରଷାରାଣୀ ତା' ଜୀବନକୁ ।
ଆହା!ଆମ୍ବ ପଣସର ବାସ୍ନା
ସଂକେତ ଦେଲାଣି,
ହଜିଯିବ ସୂର୍ଯ୍ୟଙ୍କ ଅହଂକାର,
ପ୍ରଚଣ୍ଡ କିରଣ ହୋଇଯିବ ଶାନ୍ତ ,ସ୍ନିଗ୍ଧ
ଅପେକ୍ଷା ଖାଲି କିଛିଟା ମୁହୂର୍ତ୍ତକୁ ।
ଆଶା ତ ବଞ୍ଚିବାର ରାହା ,
ସେଇ ରଙ୍ଗୀନ ଆଶାର ମୋହରେ
ପୃଥିବୀ ସହିଯାଉଛି ସବିକିଛି,
ବିକଳରେ ଚାହିଁ ରହିଛି
ଶ୍ରାବଣର ମଧୁଝରା ବର୍ଷାକୁ ।
