ଜୀବନ ଡାଏରୀ
ଜୀବନ ଡାଏରୀ
କାହିଁକି ଏ ଉତ୍ସୁକତା ?
କଣ ବା ପଢିବ
ମୋ ଜୀବନ ଡାଏରୀ ରୁ ?
ଜାଣେ
ମୁଁ ଝିଅଟିଏ ବୋଲି
ତୁମେ ବ୍ୟଗ୍ର ଜାଣିବାକୁ.......
ମୋ ହୃଦୟର ନିଭୃତ କୋଠରୀରେ
ବନ୍ଦୀ ହୋଇଥିବା ଆଶା ଗୁଡିକୁ,
ମନରେ ଉଙ୍କିଥିବା ସ୍ୱପ୍ନର ଝଲକ ସବୁକୁ,
ବିତେଇଥିବା ହସଖୁସିର
ରଙ୍ଗୀନ ମୁହୂର୍ତ୍ତଗୁଡିକୁ......
ଆଖିକୋଣରେ ଲୁହରୂପେ
ଝରିଯାଇଥିବା
ବ୍ୟଥାର କାହାଣୀ ଗୁଡିକୁ ।
ସତରେ କଣ.....
ତୁମେ ଏତିକିରେ ସନ୍ତୁଷ୍ଟ ?
ଆଉ କିଛି ରହିଗଲା ନା?
ପଢିପାର....
ପରମ୍ପରାକୁ ଆଲିଙ୍ଗନ କରିଛି
ଖୁବ ଆନନ୍ଦରେ,
କର୍ତ୍ତବ୍ୟକୁ ମଥାର ମୁକୁଟ କରି ସଜାଇଛି,
ତ୍ୟାଗ,ଦୟାକୁ ଗହଣା କରିନାଇଛି,
ନିଜକୁ ସମର୍ପି ଦେଇଛି
ତିଳ ତିଳ ଜଳି ସମାଜର ଯଜ୍ଞରେ ।
ପଢିପାର
ଆକାଶକୁ ଛୁଇଁବାର ଉନ୍ମାଦନାକୁ,
ସାଗରରେ ଖେଳିବା ସାହସ କୁ,
ତୁମ ସନ୍ଦେହ କାଳିମାକୁ ହଟାଇ....
ନିନ୍ଦା ଅପବାଦକୁ ଭୁଲି....
ପାରଦର୍ଶିତାର ଧ୍ବଜା
ସଫଳତାର ଶିଖରରେ ଉଡାଇବାକୁ ।
ବାକି ରହିଗଲା ଅନେକ କିଛି ...
ପଢିପାର
ନାରୀ ରୂପେ ନିଜ ଅସ୍ତିତ୍ୱକୁ
ଚିହ୍ନିଥିବାର ସଂକେତ,
ଆତ୍ମାବଲୋକନର ସୂକ୍ଷ୍ମ ଦର୍ଶନସମୂହକୁ,
ପୁଣ୍ୟ ତୀର୍ଥରେ ବୁଡ଼ ପକେଇଥିବା
ଗର୍ବ,ଅହଂକାରର ଆବର୍ଜନାଗୁଡିକୁ ।
ଖୋଲିଦେଲି ପୃଷ୍ଠା ପରେ ପୃଷ୍ଠା
ତୁମପାଇଁ
ମୋ ଜୀବନ ଡାଏରୀରୁ ।