ଶୀତ ରାଣୀ
ଶୀତ ରାଣୀ
ଆଲୋ ମୋ ଶୀତରାଣୀ
ଏତେ ଫୁଲେଇ ହେଉଛୁ କାହଁପାଇଁ ?
କେବେ କମ୍ବଳ ତଳେ ଘୁଙ୍ଗୁଡି ମାରୁଛୁ ତ,
କେବେ ନିଆଁ ଉମ୍ହେଇରେ ସେକି ହେଉ,
ପୁଣି କେବେ ଫାହାନ୍ତା ପହରରେ
ଧୂମ୍ର କୁଣ୍ଡଳୀ ଭିତରେ ଲୁଚକାଳି ଖେଳୁ ରହି ରହି ।
କୁହୁଡି ପହଁରୁ ପହଁରୁ ଥକିଯାଇ ରାଗିଗଲେ
ଶରୀରଟା କମ୍ପି ଉଠେ,
ସେଥିରେ ବି ସେ ଶୀତର ମନ ମାନେନା
ଭିତରରୁ ବାହାରଯାଏ କମ୍ପଉଥାଏ
ମୁଁ ଯେତେ ରାଗିଲେ କଣ ହେବ!
ମୋ କମ୍ପନର ସୃଷ୍ଟି ସମ୍ଭାର ସେହି ଶୀତ!
ସେ ମୋତେ ଦେଖି ହସୁଥାଏ
ମୋତେ କନ୍ଦେଇବାରେ ସେ ଆନନ୍ଦ ପାଏ।
ନା, ମୋ ପାଶେ ତୂଳୀତଳ୍ପ ସଯ୍ଯା ଅଛି,
ନା ଶୀତତାପ ନିୟନ୍ତ୍ରିତ କକ୍ଷ!
ନା, ମୁଁ ବେସାହାର ବୁଲା ଫକିର,
ନା, ସାହାରା ମରୁଭୂମିର ଚତୁଷ୍ପଦ ରାତ୍ରିଚର,
ନା, ମୁଁ ପରିତୃପ୍ତିର ଗନ୍ତାଘର
ନା, ରୁଣ୍ଡିଭୁତ ଆଶା ଆକାଂକ୍ଷାର
ପରିପୂର୍ଣ୍ଣ ଇଛାର ସମାହାର!
ଥରେ ଆଖି କୋଣରେ କଣେଇ ତୁ ଦେଖ,
ତୁ ସିନା ଶୀତ ରାଣୀ
ସଜବାଜ ହୋଇ ସାଜିଛୁ ଘରଣୀ
ମୋ ଘରେ ନାହିଁ କନ୍ଥା, ଚାଦର ଖଣ୍ଡେ
କେମିତି ତୋତେ ରଖିବି ମୁଣ୍ଡେ?
ତୁ ଫେରି ଯାଆ କି ନ ଯାଆ
ମୋ ଚଲାପଥେ ଆଉ ତୁ ନ' ଆ'
ମୁଁ ଯେବେ ସାଜିବି ରାଜା
ତୋତେ ଆଣିବି ଲୋ ରାଣୀ କରି
ବଜେଇ ବ୍ୟାଣ୍ଡ ବାଜା ।।