STORYMIRROR

Prahallad Sahoo

Abstract Classics Inspirational

4  

Prahallad Sahoo

Abstract Classics Inspirational

ଗ୍ରୀଷ୍ମ ଆଗମନେ ଅକ୍ଷୟ ତୃତୀୟା

ଗ୍ରୀଷ୍ମ ଆଗମନେ ଅକ୍ଷୟ ତୃତୀୟା

1 min
9


ବସନ୍ତର ଶେଷେ ଗ୍ରୀଷ୍ମ ଯେ ପ୍ରବେଶେ 

ବସୁନ୍ଧରା ଭୀତତ୍ରସ୍ତ ରୌଦ୍ରତାପେ 

ବୈଶାଖ ମାସ ଶୁକ୍ଳ ତୃତୀୟା ତିଥି

ଏକ ରାଶିରେ ସ୍ଥିତ ଚନ୍ଦ୍ର ଓ ରବି

ସର୍ବ ଶୁଭାଶୁଭ ଅକ୍ଷୟ ତୃତୀୟା

ଏହିଦିନେ ଶୁଭ କାର୍ଯ୍ଯ ହୁଏ ଭଲା

କୃତ୍ତିକା ରୋହିଣୀ ନକ୍ଷତ୍ର ସମୟେ

ସ୍ବଗୃହେ ଗୃହିଣୀ ରୁହ‌ନ୍ତି ବ୍ରତରେ

ଅକ୍ଷି ମୁଠି ଧରି କୃଷକ ବାପୁଡା

କ୍ଷେତରେ ପାଳଇ ଅକ୍ଷୟତୃତୀୟା

ବିହନ ମୁଠିକ ଛାଟି ତା ମୁଠିରେ

ଚାଷି ଚାଷକାର୍ଯ୍ଯ ଅନୁକୂଳ କରେ

କୃଷକ ଦିବସ ଚାଷୀ ଭାଇଙ୍କର

ହଳଲଙ୍ଗଳ ଶ୍ରେଷ୍ଠ ଅସ୍ତ୍ର ଯେ ତାର ।।

ଜନ କୋଳାହଳ ଭିତରେ ଭକତ

ଦର୍ଶନ କରନ୍ତି ସେ ପ୍ରଭୁଙ୍କ ପାଦ

ସୁନା କୁରାଢ଼ୀରେ ଶୁଭ ଅନୁକୂଳ

ପବିତ୍ର ରଥ ସେ ଦାରୁ ଦିଅଁଙ୍କର

ରଥ ଖଳା ସଙ୍ଗେ ଶ୍ରୀକ୍ଷେତ୍ର ଗହଳ

ପୂର୍ଣ୍ଣ କରନ୍ତି ମନୋବାଞ୍ଛା ଠାକୁର

ଅକ୍ଷୟ ତୃତୀୟାର ଚନ୍ଦନ ଚାପେ

ବିଜେ ହୁଅନ୍ତି ମଦନ ମୋହନ ଯେ

ଚନ୍ଦନ ଯାତ ଆଜି ଠାରୁ ଆରମ୍ଭ

ଚାପରେ ଖେଳନ୍ତି ପ୍ରଭୁ ଶ୍ରୀଗୋବିନ୍ଦ

ଶ୍ରୀମନ୍ଦିର ଠାରୁ ନରେନ୍ଦ୍ର ପୋଖରୀ

ବିଜେ ହୁଅନ୍ତି ଦିଅଁ ସରାଗେ ଭାରି ।।

ଷଷ୍ଠ ଅବତାର ପର୍ଶୁରାମ ଜନ୍ମ

ଆଜି ଏତିଥିରେ ହୋଇଥିଲା ଜାଣ

ଅଠର ଦିନ ମହାଭାରତ ଯୁଦ୍ଧ

ଏ ପୂଣ୍ଯତିଥିରେ ହୋଇଥିଲା ଅନ୍ତ

ପିତାମହ ଭୀଷ୍ମ ଇଛ୍ଛା ଅନୁସାରେ

ଦେହ ଛାଡିଥିଲେ ସେ ଶରଶଯ୍ୟାରେ

ହଳଧର ପ୍ରଭୁ ରେବତୀ ରମଣ

କରନ୍ତି ବିବାହ ରେବତୀ ସାଙ୍ଗର

ସତ୍ୟ ଓ ତ୍ରେତୟା ଯୁଗର ଆରମ୍ଭ

ହୋଇଥିଲା ଅକ୍ଷୟ ତୃତୀୟା ଦିନ

ଅକ୍ଷୟ ତୃତୀୟାର ପବିତ୍ର ଦିନ

ଗଙ୍ଗାମାତାଙ୍କର ଧରାବତରଣ

ବଦ୍ରିନାଥଙ୍କର କବାଟ ଖୋଲଇ

ଅକ୍ଷିତୃତୀୟାରେ ଆନନ୍ଦ ଲାଗଇ

ଅଯୋନିସମ୍ଭୂତ ଦେବୀ ସୀତା ଜନ୍ମ

ଭୂମିରୁ ହୋଇଥିଲେ ସେ ଏହି ଦିନ

ଆଜି ଶୀତଳ ଷଷ୍ଠୀର ଶୁଭାରମ୍ଭ

ସମ୍ବଲପୁରେ ମା' ସମଲାଇଙ୍କର

ଅକ୍ଷୟ ରହିଲା ଦ୍ରୌପଦୀଙ୍କ ଲଜ୍ଜ୍ଯା

କୋଟିବସ୍ତ୍ର ଦେଇ କୃଷ୍ଣ କଲେ ରକ୍ଷା

ବ୍ରହ୍ମାଙ୍କର ପୁତ୍ର ଅକ୍ଷୟ କୁମାର

ଜନ୍ମିଥିଲେ ଅକ୍ଷୟ ତୃତୀୟା ଦିନ

ସାଗର ମନ୍ଥନୁ ଆବିର୍ଭାବ ଲକ୍ଷ୍ମୀ

ପୂଣ୍ଯ ଏହି ଅକ୍ଷୟ ତୃତୀୟା ତିଥି।।



Rate this content
Log in

Similar oriya poem from Abstract