STORYMIRROR

Bidyadhar Mantry

Drama Classics Others

3  

Bidyadhar Mantry

Drama Classics Others

ଶୀତ ପାଇଁ ଗୀତ

ଶୀତ ପାଇଁ ଗୀତ

2 mins
187


ଶୀତ ପାଇଁ ଗୀତ ଲେଖିବା ଶେଷରେ

ଗୀତ ଗାଇବାକୁ ମନ

ଗୁଣୁଗୁଣୁ ସ୍ଵରେ ନୁହଁ, ମୁକ୍ତ କଣ୍ଠେ

ଦୋହଲାଇ ତନ ମନ

ଶୀତକୁ ରାଣୀ, ସୁନ୍ଦରୀ ଓ ମାଉସୀ

ଡାକୁଛି କିଏ କେମିତି 

କିଏ ମିତ,ସାଥୀ,ସାଙ୍ଗ,ବନ୍ଧୁ ଭାବେ

ଦେଖିଲେ ନିକଟେ ଅତି

ଭାରି ଭଲ ଶୀତ ସହ ଗପିବାକୁ 

ଘୋଡି ହୋଇ ଉସ୍ମ ବସ୍ତ୍ର 

ହୃଦର ଅବ୍ୟକ୍ତ କଥା କହିବାକୁ

ଇଚ୍ଛା ହୁଅଇ ଜାଗ୍ରତ 

କାହିଁକି କେଜାଣି ଗୀତ ଗାଇବାକୁ

ମନ ହୁଅଇ ତପ୍ତର

ଶୀତ ହୋଇଥାଏ ହୃଦୟେ ପ୍ରତ୍ୟୟ  

ସତେ ନିହାତି ନିଜର     

ଯେବେ ଆସେ ଶୀତ ଥରି ଉଠେ ତନ

ଥରି ଥରି ତନ ମନ    

ଶୀତୁଆ କୋହଲା ପାଗ ର ପବନେ

ଗୀତ ଗାଇବାକୁ ମନ

ଘାସ ପତ୍ରେ କାକର ଟୋପା ବିଛେଇ

ଶୀତ ଆସେ ପାଦ ଥାପି 

ଦେହେ ଅପରୂପ ଶୋଭା ଆବରଣେ

ଚାରିଆଡେ ଯାଏ ବ୍ୟାପି

ଶୀତ ଚାହିଁ ରହେ ନିରେଖି ନିରେଖି 

କିଏ ହେଉଅଛି ପ୍ରୀତ

ଶୀତୁଆ ଶୀତଳ ସ୍ପର୍ଶ ଅନୁଭବେ

କିଏ ହେବ ନିଜ ମିତ

କାହାକୁ ହିତ ଅବା କାହାକୁ ଅହିତ

ଶୀତ ଦେଖୁଛି ନିରେଖି

ସାମୟିକ ଭାବେ କିଏ ଚାହେଁ ମିତ 

ଶୀତ ଘୁରାଉଛି ଆଖି ।


ମିତ ପରି ଶୀତ ମନ କଥା ଜାଣି

ଫୁଲର ସମ୍ଭାର ସହ

ଉପସ୍ଥିତି ଜଣାଇ ଦିଏ ସହଜେ

ଫୁଲ ବାସ ମହ ମହ 

ଧାନ କ୍ଷେତ ହସେ ଶୀତ ଆଗମନେ

କାକର ବର୍ଷା ବିନ୍ଦୁରେ

ଚାଷୀ ଭାଇ ମନେ ମନେ ଖୁସି ବେଶି

ଚାଲି ବିଲର ହୁଡାରେ

ଚଷାର ଆନନ୍ଦ କହିଲେ ନ ସରେ

ବିଲରେ ସୁନାର କ୍ଷେତ

ଶୀତୁଆ ସକାଳେ ଧାନ କିଆରୀକୁ

ଛୁଇଁ ଦେଖୁଅଛି ଶୀତ ।


ପରିବେଶ ଭାରି ମନ ମତ୍ତାଣିଆ

ପାର୍ବଣ ହସ ଖୁସିରେ

ପନିପରିବା ବି ବାଡି ବଗିଚାରେ

ଭଲ ଫୁଲ ଫଳ ଧରେ

ସକାଳୁ ସକାଳୁ ଘାସରେ କାକର

ମୋତି ପରି ଝଟକାଇ

କଅଁଳ ଖରାରେ ଚିକ୍ ଚିକ୍ କରେ

ମନ ଯାଏ ମୋହ ହୋଇ ।


ମତୁଆଲା ମନ ଖୋଜେ ଉଷ୍ମ ଦେହ

ପ୍ରିୟାର ବକ୍ଷ ଉଷ୍ମତା

ରାତି ସରିଯାଏ ଉଷ୍ମତା ସ୍ୱପ୍ନରେ

ଶୀତରେ ଉଷ୍ମତା ଚିନ୍ତା

ମା ବକ୍ଷ-ଉଷ୍ମତା ଶିଶୁ ଚିନ୍ତା ଶୂନ୍ୟ

ଦେଖି ଖୁସି ଶୀତରାଣୀ

ନିଦୁଆ ଦେହରୁ ବସ୍ତ୍ର ଖସି ଗଲେ

ମା ଆଣେ ଶିଶୁକୁ ଟାଣି 

ବୟସ୍କ ଶରୀର ହୁଏ ସନ୍ତାପିତ 

ସହ୍ୟ ହେଉନାହିଁ ଶୀତ

ଉସ୍ମ ବସ୍ତ୍ର ଯେତେ ଢାଙ୍କି ହେଲେ ସୁଦ୍ଧା

ଶରୀର ହେଉନି ତୃପ୍ତ

ଶୀତୁଆ ସକାଳେ ପ୍ରାତଃ ଭ୍ରମଣରେ 

ଭାରି ମଜା ପାଦ ଚଲା

କୁହୁଡି ଚାଦର ଘେରା ପରିବେଶ

କାକର ଟୋପା ଚଗଲା

ଶୀତୁଆ ପାଗରେ ବଣଭୋଜି ଖୁସି

ବାଣ୍ଟି ସମ୍ପର୍କର ଭାବ 

ସଞ୍ଜ ହେଉ ହେଉ ଘର ଲେଉଟାଣି

ଉସ୍ମଭରା ପ୍ରେମ ଭାବ ।


ଫୁଲର ସମ୍ଭାର ଘର ଅଗଣାରେ

ପରିବେଶ ମନୋରମ 

ଧନ୍ୟ ଶୀତରାଣୀ ତୁମର ଗରିମା

ଚାଲି ତୁମ ଅବିରାମ  

ଅଙ୍ଗ ଅବୟବ ଖୋଜେ ଉଷ୍ମ ସ୍ପର୍ଶ

ମିତ ଖୋଜିବା ଇଶାରା

ମିତ ସହ ଦେହର ଉଷ୍ମତା ପାଇଁ 

ଶୀତ କହୁ ଅଛି ପରା!!

ଆସ ଶୀତ ସହ ମିତ ହୋଇଯିବା

ଶୀତ ବଢ଼ାଇଛି ହାତ

ଶୀତ ସହ ମିତ ହୋଇ ଲେଖି ଗାଇ 

ଶୀତ ସମ୍ବନ୍ଧୀୟ ଗୀତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama