ଶୀତ ଆଉ ମୁଁ
ଶୀତ ଆଉ ମୁଁ
ଶୁଖିଲା ଦିଶୁଛି ଚର୍ମ
ହେଇଟି ଶୀତ ଆସିଗଲା
ଗଛକୁ ଛୁଇଁଲାନି ଯେ
ପତ୍ରଝଡା କଲା ।
ସକାଳର କଅଁଳିଆ ଖରାରେ
ପିଠିକୁ ଦେଖେଇ
ବୁଢୀମା ବସୁଥିଲା
ମତେ କୋଳେଇ ।
ସେଇଠି ବସୁଥିଲା
ଖରା ଟାଣ ହେବା ଯାଏଁ
ପଖାଳ ସାଙ୍ଗକୁ ଶୁଖୁଆ
ତାର ମନକୁ ପାଏ ।
ଅଗଣାରେ ବଡି ପକାଇ
ବୋଉ ଜଗି ବସୁଥିଲା
ନାନା ପିଠା ବାସନାରେ
ଘର ମହକୁଥିଲା ।
ସଞ୍ଜ ହେଲେ ଶୀତଳ ବାଆ
ଘର ଭିତରେ ପଶି
ଦେହ ଥରୁଥିଲା ମୋର
ସେପଟେ ଗଗନେ ଶଶୀ ।
ଏ ବର୍ଷ ଶୀତ ଆସିଛି
ସୌର ରଥରେ ବସି
ଦିନରେ ତପନର ତେଜ
ରାତିରେ ଜହ୍ନ ଦିଅଇ ହସି ।
ବିତି ଗଲାଣି ଶୈଶବ
ଏବେ ସଂସାର ଚିନ୍ତା
ଥିରି ଥିରି ଶୀତ ଆସୁଛି
ନେଇ ଶରୀର ବ୍ୟଥା ।
ପିଲାଦିନ ବିତିଲା
ସବୁ ସ୍ମୃତି ହେଇଗଲା
ଶୀତର ପ୍ରକୋପ ନାହିଁ
ସୂର୍ଯ୍ୟ କିରଣ ଦିଅନ୍ତି
ଖରା ହୁଏ ଟାଇଁ ଟାଇଁ ।
ସୂର୍ଯ୍ୟ ଜହ୍ନ ଦୁହେଁ
ଗଗନେ ବିହରନ୍ତି ପୂର୍ବବତ
ନାହିଁ ସେକାଳ ପଖାଳ
ନାହିଁ ଆଉ ସେକାଳ ଶୀତ ।।
