ଶୀତ ଆସିଛି
ଶୀତ ଆସିଛି


ଶୀତ ଆସିଛିରେ କାକରହକଳା ଘାସ ଗାଲିଚାର ଉପରେ,
ଶୀତ ଆସିଛିରେ ଜୋଛନାପଖଳା ସୋରିଷ ଫୁଲିଆ କ୍ଷେତରେ ।
ଶୀତ ଆସିଛିରେ ଗେଣ୍ଡୁ, ସେବତିରେ ନିଜର ଦେହକୁ ସଜେଇ,
ଶୀତ ଆସିଛିରେ ବାହାତିଥି ନେଇ ଖୁସିର ବିଗୁଲ୍ ବଜେଇ ।
ଶୀତ ଆସିଛିରେ କୃଷକ ଖଳାକୁ ଲକ୍ଷ୍ମୀ ଠାକୁରାଣୀ ରୂପରେ,
ଶୀତ ଆସିଛିରେ ଘରେ ଘରେ ଆଜି ଶ୍ରୀୟା ଚଣ୍ଡାଳୁଣୀ ବେଶରେ ।
ଶୀତ ଆସିଛିରେ ପରିବା ବଜାରେ କୋବି, ଟମାଟୋ ଓ ଗାଜରେ,
ଶୀତ ଆସିଛିରେ ମେଥିଶାଗ,ମୂଳା, ଧନିଆ ପତ୍ରର ମଜାରେ ।
ଶୀତ ଆସିଛିରେ ସକାଳୁ ସକାଳୁ ଗାଁ ଦାଣ୍ଡ ଧୁନି ନିଆଁରେ,
ଶୀତ ଆସିଛିରେ ସାଙ୍ଗ ସାଥି ମେଳେ କଅଁଳିଆ ଖରାପୁଆଁରେ ।
ଶୀତ ଆସିଛିରେ ପୋଷାକ ବଜାରେ ଧରି ନାନା ରଙ୍ଗ ପୋଷାକ,
ସାଲ୍, ସୁଏଟର,କମ୍ବଳ,ଚଦର ଭାଉ ଏବେ ଭାରି ଅଧିକ ।
କେତେ ମିଠା ମିଠା ପରବକୁ ନେଇ ଆସିଅଛି ଏଇ ଋତୁରେ,
ପ୍ରଥମାଅଷ୍ଟମୀ, ମାଣବସା,ଧନୁ,ମକରକୁ ଧରି ସାଥୀରେ ।
ଧନୀଠୁ ଗରିବ ସଭିଙ୍କ ପାଇଁ କି ଖୁସି ଦିଏ ଶୀତ ଅନେକ,
ଶୀତ ଚାଲିଯିବ ମନେ ରହିଥିବ ଏ ଋତୁର ମଜା ଯେତେକ ।