ଶହୀଦ
ଶହୀଦ
ପୁଣ୍ୟ ଫଳ ଥିଲେ ଶହୀଦ ହେବାର
ସୌଭାଗ୍ଯ ତ ମିଳିଥାଏ
ଶହୀଦ ହୋଇଲେ ସେଇ ପୁଣ୍ୟ ବଳେ
ସ୍ବର୍ଗପ୍ରାପ୍ତ ହୋଇଯାଏ ।
ଶହୀଦ ହେବାର ସହଜ ତ ନୁହେଁ
ଜବାନ ସାଜିବା ହୁଏ
ଜୀବନକୁ ବାଜି ଲଗେଇଣ ଶତ୍ରୁ
ସଙ୍ଗେ ସିଏ ଲଢିଥାଏ ।
ମା' ମାଟି ଛୁଇଁ ଶପଥ ସେ କରି
ଦେଶର ସୁରକ୍ଷା କରେ
କମାଣ ହାତରେ ଗର୍ଜି ଉଠେ ତା'ର
କାହାକୁ ନା ସିଏ ଡରେ ।
ପଛଘୁଞ୍ଚା କେବେ ଦିଏ ନାହିଁ ସିଏ
ହାରିବା ସେ ଶିଖିନାହିଁ
ଶେଷ ରକ୍ତ ବିନ୍ଦୁ ଥିବା ଯାଏ ସିଏ
ଶତ୍ରୁ ସଙ୍ଗେ ଲଢିଥାଇ ।
ଦେଶର ସମ୍ମାନ ଯଶ ଖ୍ୟାତି ଟେକ
ତା'ର ଲକ୍ଷ୍ୟ ରହିଥାଏ
ଦିବା ନିଶି ସିଏ ଜାଗ୍ରତ ପ୍ରହରୀ
ଦେଶକୁ ସୁରକ୍ଷା ଦିଏ ।
ଇତିହାସ କିବା ଭୂଗୋଳକୁ ଦେଖ
ରହିଛି ଶହୀଦ ଗାଥା
ଲିଭିଛି ଜୀବନ ହସି ଅଛି ଦେଶ
ନଇଁନି ଶହୀଦ ମଥା ।
ପରାଧୀନତାରୁ ମୁକ୍ତ ହେବାପାଇଁ
ଅନେକ ଶହୀଦ ହେଲେ
<p>ଫିରିଙ୍ଗି ଶାସନ ହାତରେ ନା କେବେ
ନିଜ ଦେଶ ଟେକିଥିଲେ ।
ରାଣୀ ଲକ୍ଷ୍ମୀବାଈ, ଜୟୀ ରାଜଗୁରୁ
ମଙ୍ଗଳ ପାଣ୍ଡେ, ଲକ୍ଷ୍ମଣ
ଭଗତ ସିଂ, ବୀର ସୁରେନ୍ଦ୍ର ସାଏ
ହସି ଦେଇଥିଲେ ପରାଣ ।
ଉଦ୍ଦାମ ସିଂ, ବାଜି ରାଉତ ବାଳକ
ବିନାୟକ ସଭରକର
ଇଂରେଜଙ୍କ ଦମ୍ଭ ଭାଙ୍ଗି ଦେଇ ସିଏ
କରିଥିଲେ ତିରସ୍କାର ।
ଜୀବନ ସେ ଦେଲେ ହାରି ତ ନଥିଲେ
ଦେଖେଇ ଥିଲେ ସାହସ
ସେ ସାହସ ପାଖରେ ଶାସନର ନିଶା
ହେଇଥିଲା ତାଙ୍କ ଶେଷ ।
କାର୍ଗିଲ ସମର ମନେ ପଡିଗଲେ
ଶହୀଦଙ୍କ ଚିତା ଦିଶେ
କେତେ ଯେ ଜବାନ ହୋଇଲେ ଶହୀଦ
ଆଜି ଆମ ଦେଶ ହସେ ।
ଅଲିଭା ଅକ୍ଷରେ ଚିର ସ୍ମରଣୀୟ
ଶହୀଦ ଜୟ ଜବାନ
ଆଜି ଯଦି ଆମେ ନିର୍ଭୟରେ ଅଛେ
ତାହା ତାଙ୍କ ଅବଦାନ ।
ଆଜି ଆମେ ଯଦି ଶାନ୍ତିରେ ବଞ୍ଚିଛେ
ସେହି ଶହୀଦଙ୍କ ପାଇଁ
କରେ ପ୍ରଣିପାତ ଭକତି ଭାବରେ
ଏଇ ମଥା ମୋର ନଇଁ ।