ଶେଯରେ ବିଷର୍ଜନ (ବ୍ଯଙ୍ଗ)
ଶେଯରେ ବିଷର୍ଜନ (ବ୍ଯଙ୍ଗ)
ରାତି ସାରା ଶୋଇ ଦେଖୁଥିଲି ମୁଁହିଁ
ପ୍ରିୟାକୁ ମୋହର ସପନ।
ଅଜାଣତେ ମୋର ହୋଇଗଲା ଭାଇ
ଶେଯରେ ମୂତ୍ର ବସର୍ଜନ।।
ଏହା ଜାଣି ମାଆ କରିଲେ ଗର୍ଜନ
ଦେଖରେ କି କାଣ୍ଡ କରିଛି?
କୁଳାଙ୍ଗାର ମୋର କୁଳର ନନ୍ଦନ।
ଲଜ୍ଯା ନାହିଁ ବସି ହସୁଛି।।
ଏହା ଶୁଣି ବାପା ଧାଇଁ ମୋ ଆସିଲେ
ବୋଇଲେ କେବେ ହେବୁ ବଡ?
ଆଜି ଯାଏଁ ସବୁ କାମ କରୁଅଛୁ
କାହିଁ ପାଇଁ ତୁ ଗଡବଡ?
ଦେଖିଲୁ ତୁ ନିଜେ କିପରି ହୋଇଛୁ
ମୂତରେ ପୁରା ସଡସଡ।
ଜାଣିଲେ ଏକଥା ଭଉଣୀ ତୋହର
କରିବ ଘର ଉଠପଡ।।
ଭଉଣୀ ପ୍ରକଟ ହୋଇଣ କହିଲା
ଶେଯ ନେଇ ତୁ ଧୋଇ ଶୁଖା।
ତୋର ଯେତେ ସାଙ୍ଗ କହିବି ତାଙ୍କୁ ମୁଁ
ତୁ ସତେ ଅଟୁ କେଡେ ବୋକା।।
ଏହା ଦେଖି ଭାଇ କହିଲା କିକଲୁ?
ନାଁ ପାଣି ସବୁ ବୁଡାଇଲୁ।
କିପରି ବୋଉ ତୁ ଏପରି ପୁଅକୁ
କୋଳରେ ତୋର ଜନ୍ମ ଦେଲୁ?
ଏତେ ବଡ ପିଲା ହେଲାଣି ଏଇଟା
ବୁଦ୍ଧି ଶୁଦ୍ଧି ତା' କିଛି ନାହିଁ।
କେଉଁ ଝିଅ ଅାଉ ବାହାହେବ ୟାକୁ
କାହାର କିଛି କାମ ନାହିଁ।।
ଆଣିବି ଖୋଜି ମୁଁ ଏମିତିକା ଝିଅ
ନାକୁ ଗଡୁଥିବ ସିଙ୍ଗାଣି।
ଦାନ୍ତ କଷିଥିବ ଖାଇକି ଖଇନି
ହେବ ଯେ' ଏହାର ଘରଣୀ।।
ଜେଜେମାଆ ଆସି କହିଲେ ସରାଗେ
କରନି ତାକୁ ହଇରାଣ।
ଅଜାଣତେ ମୋର ନାତି କରିଅଛି
ଏମିତି ଗୋଟେ ଅଘଟଣ।।
ଦେଖିବରେ ସବୁ ନାତି ମୋ ଆଣିବ
ବୋହୁଟିଏ ତା' କାଚମାର୍କା।
ତାକୁ ଦେଖି ତୁମ ଆଖି ଲାଖି ଯିବ
ହୋଇଯିବ ସବୁ ଜଳକା।।
ଏହି ସବୁ କଥା ଶୁଣିସାରି ମୁଁହିଁ
ଶେଷରେ ରଖିଲି ଉତ୍ତର।
କାଚମାର୍କା ଝିଅ ଲୋଡା ନାହିଁ ମୋର
ଭାଙ୍ଗି ଦେବ ସିଏ ଏ ଘର।।
ମାଟିର ପୁଅ ମୁଁ ମାଟି ଘର ଝିଅ
ମୋ ପାଇଁ ନିହାତି ଦର୍କାର।
ଦୁହେଁ ଦୁହିଁଙ୍କର ମନକଥା ବୁଝି
ଚାଲିବୁ ବାଟ ଜୀବନର।
ଜୀବନ ରାସ୍ତାରେ ଝୁଣ୍ଟି ପଡିଗଲେ
ଭାଙ୍ଗିବାର ନଥିବ ଡର।
ସୁଖ ଦଃଖ ସବୁ ସହି ଦୁହେଁ ଆମେ
ଖୁସିରେ ଗଢିବୁ ସଂସାର।।
ପାରୁନାହିଁ ବୁଝି କାହିଁକି ସଭିଏଁ
କରିଛ ଏଠାରେ ଗହଳି।
ବିଛଣାରେ ମୂତି କି ପାପ କରିଛି
କରୁଛ ସର୍ବେ ମତେ ଗାଳି।।
ନିଦରେ ଶେଯରେ ମୂତିଦେଲେ କେହି
ନାଁ ପାଣି କେବେ ବୁଡେ ନାହିଁ।
ଏହି ବୋକା ଭାଇ ଲୁହ ତୋର ପୋଛେ
କାନ୍ଦୁ ଯେବେ ତୁ କଇଁକଇଁ।।
ଶେଯରେ ମୂତିଲେ ଛୋଟ କିମ୍ବା ବଡ
କେହିତ କେବେ ହୁଏ ନାହିଁ।
କର୍ମ ଏକା ଅଟେ ମାନଦଣ୍ଡ ତାର
ଛୋଟ କି ବଡ କହେ ସେହି।।
ସ୍ନେହମୟୀ ମାଆ ଛୋଟବେଳେ ମୁହିଁ
କରିଲେ ମୂତ୍ର ବିସର୍ଜନ।
ସଫା କରୁଥିଲୁ ସେସବୁକୁ ତୁହି
ସତେ ଅବା ଫୁଲ ଚନ୍ଦନ।।
ତୁମେ ଭାଗ୍ଯ ମୋର ତୁମେ ସ୍ୱର୍ଗ ମୋର
ତୁମ ସୁଖ କରେ କାମନା
ପାରିବିନି ଶୁଝି ଋଣ କେବେ ତୋର
ଯେତେ କଲେ ମୁଁହିଁ ବନ୍ଦନା।
ନେତାଏ ଆମର ବିଧାନସଭାରେ
ଛୁଆ ପରି କରନ୍ତି କଳି।
କେଜାଣି କେତେଯେ ଦେଶର ସମ୍ପତ୍ତି
ଧର୍ମଘଟେ ଦିଅନ୍ତି ଜାଳି।।
ନୀର୍ବାଚନ ବେଳେ ନୋଟ୍ ନେଇ ତୁମେ
ଭୋଟ୍ ଦିଅଯେ ତାଙ୍କୁ କୁଟି।
କୋଟି କୋଟି ଟଙ୍କା ଠୁଳ କରୁଥାନ୍ତି
ଦେଶ ରାଜକୋଷକୁ ଲୁଟି।।
କେହି କେବେ ତାଙ୍କୁ ପ୍ରତିବାଦ କରି
କରୁନ ତାଙ୍କର ଗତିରୁଦ୍ଧ।
ଅନ୍ଯଥା ଦେଶ ମୋ ଯୋଡୁଥାନ୍ତା ନିତି
ସଫଳତାର ନୂଆଫର୍ଦ୍ଦ।।