ପ୍ରିୟ ବାନ୍ଧବୀ
ପ୍ରିୟ ବାନ୍ଧବୀ
ପାଇଛି ଜଣେ ମୁଁ ଏମିତି ବାନ୍ଧବୀ।
ଦିନ ମୋ କଟିଯାଏ ତା କଥା ଭାବି।।
ସେ ମୋ ହୃଦତାପ ବିନାଶକ ଲେପ।
ମନ ମୋ କରୁଛି ସଦା ତା ନାମ ଜପ।।
କଥାରେ ତାହାର ଅଜଣା କୁହୁକ।
ମନରେ ମୋର ଭରିଦିଏ ଚମକ।।
ଭଗବାନଙ୍କ ସେ ଅଟେ ଉପହାର।
ତାକୁ ପାଇ ହସିଲା ଜୀବନ ମୋର।।
କେମିତି ଯତ୍ନରେ ମୁଁ ରଖିବି ତାକୁ।
ଅଜଣା ଭୟେ ଥରେ ହୃଦୟ ବୁକୁ।।
ଦେଖିନାହିଁ ଝିଅଟିଏ ମୁଁ ତା'ପରି।
ମଣିଷ ନୁହେଁ ସଏ ସରଗ ପରୀ।।
ଅଜଣା ଭାବରେ ମୋ ଜୀବନେ ଆସି।
ହୃଦୟ ପ୍ରଦେଶେ ମୋ ଗଲା ସେ ବସି।।
ସମୟ କଟୁଛି ମୋ ତା'ସହ ମିଶି।
ଅନ୍ୟଥା ଅପେକ୍ଷାରେ ପାହୁଛି ନିଶି।।
ହଜାଇ ଦେଇଛି ମୁଁ ତା'ଠାରେ ଚିତ୍ତ।
ମନ ଶରୀର ମୋର ତା' ବଶୀଭୁତ।।
ଅଳ୍ପ ଦିନରେ ମତେ କଲା ନିଜର।
ପାରିବିକି ବଞ୍ଚି ସେ କରିଲେ ପର।।
ମନରେ ମୋର ଆଜି ଅନେକ ଡର।
ତଥାବି କହୁଛି ସେ ଦୁନିଆ ମୋର।।
ବାନ୍ଧବୀ ନୁହେଁ ସିଏ ମୋ ପାଇଁ ଦେବୀ।
କି ଅଳଙ୍କାର ଆଉ ତାକୁ ମୁଁ ଦେବି।।
ଶେଷରେ କେବଳ ଏତିକି କହିବି।
ମୁଁ ଯଦି ତାଲା ହୁଏ ସେ ମୋ ଚାବି।।
ମୁଁ ଯଦି ଚିତ୍ରକର ସିଏ ମୋ ତୂଳୀ।
ଯଦି ମୁଁ କଲମ ହୁଏ ସେ ମୋ କାଳି।।
ମୁଁ ଯଦି କବି ହୁଏ ସେ ମୋ କବିତା।
ମୁଁ ଯଦି ଦିନ ହୁଏ ସେ ମୋ ସବିତା।।
ମୁଁ ଯଦି ଚନ୍ଦ୍ର ହୁଏ ସେ ମୋ ରଜନୀ।
ବେଶି ଅଳଙ୍କାର ଭାବି ମୁଁ ପାରୁନି।।
ତାକୁ ବର୍ଣ୍ଣିବାକୁ ମୁଁ ଯେ ଅସମର୍ଥ।
କବିତା ଏଠାରେ କଲି ମୁଁ ସମାପ୍ତ।।