ଶେଷକଥା
ଶେଷକଥା
ଯାଉଛି ଫେରି ସେ
କେଉଁ ଏକ ଅଜ୍ଞାତ ଦେଶକୁ
ଶୁଖି ପଡ଼ିଥିବା ଉର୍ବର କ୍ଷେତକୁ,
ରୋକିବ ତ ଚେଷ୍ଟାକରି ଦେଖ
ସତମିଛ ନିଶ୍ଚୟ ପରଖ
ହଜିଯିବ କେଉଁ ମୁହୁର୍ତ୍ତରେ
ରଖ ମନେ ତା'ର କଥାକୁ,
ଶେଷ କଥା ହୋଇପାରେ ଏହା
ଯା' ବୁଦ୍ଧିରେ ଦେଖେ ଯିଏ ଯାହା
ତାକୁ ଯିଏ ଭଲକରି ଜାଣେ
ବିଚାରିବ ନିଶ୍ଚେ ତା'ର ପଣେ
ନିଜେ ଥରେ କହିବ ନିଜକୁ
ଆଇନାର ସମ୍ମୁଖରେ ରହି
ଜୀବନର ଚିତ୍ର ଚରିତ୍ର ଦେଖି
ସାକ୍ଷୀ ରଖି ଜୀଅନ୍ତା ସମୟକୁ,
ଭାଗ୍ୟବାଦୀ ଜମା ନୁହେଁ ସିଏ
ଭାଗ୍ୟ ତାକୁ ନିଇତି କନ୍ଦାଏ
ରାତି ତାର ଲୁହର ମେଳଣ
ବୋଳି ହୁଏ କେତେ ଦୁଃଖ ରଙ୍ଗ
ଦେଖିନି ସେ ସୁଖର ରଙ୍ଗକୁ,
କିଏ ତାକୁ ପାରନ୍ତିନି ବୁଝି
ନିଜ ଭିତରେ ନିଜେ ଯାଏ ହଜି
ଯନ୍ତ୍ରଣାର ପାହାଡ଼ ତା' ମନେ
କେହି ନାହିଁ ତାକୁ ବୁଝିବାକୁ,
କାହା ଦୋଷ କେମିତି ସେ ଦେବ
ନାଟକ ତ ରଚିଛି ଦଇବ
ଭୂମିକା ଟେ ପାଇଛି ସେ ଛୋଟ
ଜଣା ତାକୁ ଟିକେ ଅଭିନୟ ପାଠ,
ଭାଙ୍ଗେ ଯେବେ ତାହାର ବିଶ୍ୱାସ
ଗାଳିଦିଏ ନିଜ ନିଶ୍ୱାସକୁ
ସମୟ ସାପର ଏ ଚୋଟ
ବିଷ ସବୁ ଚରିଚରି ଯାଏ
ଜୀବନଟା ଖୋଜେ ମରଣକୁ,
ମଲାମନ କେତେଥର ମରେ
ନୀରବତା ବାରବାର ହାରେ
କିଏ ଏଠି ଦେଇପାରେ ସୁଖ
ଦେଖାଇବ ସମୟର ବାସ୍ତବ ମୁଖ
ପଥ ନାହିଁ ଟିକେ ଚାଲିବାକୁ
ଟିକେ ଟିକେ ଖୁସିରେ ହସିବାକୁ,
ଈଶ୍ବରଙ୍କ ଇଛାରେ ସଂସାର
ପ୍ରାଣ ପ୍ରତି ଲୋଭ ଯାଏ ଛାଡ଼ି
ନୀରବରେ କରୁଥାଏ ସେ ରଡ଼ି
ସବୁ ମନ ଚାହେଁ ବଞ୍ଚିବାକୁ
ସମୟର ତାଳେ ବାଧ୍ଯ ଚାଲିବାକୁ,
ଦିଗ ତାର ଜାଣେନି ସେ ନିଜେ
କେଉଁ ଆଡ଼େ ହେବ ତାର ଗତି
ପ୍ରତି କ୍ଷଣେ ଖୋଜୁଥାଏ ମୁକ୍ତି
ଈଶ୍ବରଙ୍କୁ ନ କରି ସେ ଭକ୍ତି
ଖିଲାପ କରିବ ସେ ଚୁକ୍ତି
ସାରିଦେବ ନିଜକୁ ଆଉଥରେ ବଞ୍ଚିବାକୁ,
ତୁମେ ତାକୁ ବାନ୍ଧି ଦେଇପାର
ତୁମେ ତାକୁ ପାରିବକି ରୋକି
ପ୍ରସୁତ ସେ କଣ୍ଟାରେ ଦମ୍ଭେ ଚାଲିବାକୁ ।
