ଶେଷ ପିଢ଼ି ପିଲା
ଶେଷ ପିଢ଼ି ପିଲା
ବୋଧେ ଶେଷ ପିଢ଼ି ଥିଲା ଆମର ସେ' ପିଲା ବେଳ
ଦାଣ୍ଡ ଧୂଳି ସହ ମିଶି ହେଉ ଥିଲା ଧୂଳି ଖେଳ
ମିଛ ବୋହୂ ବେଶ ହେଉଥିଲା ମିଛ ବାହାଘରେ
ବୋହୂ ଚୋରି ଖେଳ କିନ୍ତୁ ହେଉଥିଲା ଖେଳ ଧାରେ
ବୋଧେ ଶେଷ ପିଢ଼ି ଥିଲା ଆମର ସେ ପିଲା ବେଳ
ନଡ଼ା ଛପର ଓ ମାଟି ଘରେ ବିତିଛି ସେ' କାଳ
କେତେ ଗପ ଶୁଣା ,ଜେଜେ-ବାପା-ମାଆଙ୍କ ମୁହଁରେ
ନିଦ ଲାଗୁ ଥିଲା, ଶୁଣି ହୁଁ ହୁଁ କହି କହିବାରେ ।
ବୋଧେ ଶେଷ ପିଢ଼ି ଥିଲା ଆମର ସେ' ପିଲା ବେଳ
ଗାଁ ଦାଣ୍ଡରେ ବାଟି, ନଟୁ,କବାଡି , ପ୍ରାୟତଃ ଖେଳ
ଖେଳ ହୋଇଛି କଉଡ଼ି ପରି ଗୋଡ଼ି ପଥରରେ
ଖେଳ ବି ସାଇକଲ ପୁରୁଣା ଟାୟାର-ରିମ୍ ରେ ।
ବୋଧେ ଶେଷ ପିଢ଼ି ଥିଲା ଆମର ସେ' ପିଲା ବେଳ
ଟିଣ ଡବା କୁ ବାଡେଇ ବାଜା ଭାବେ ଥିଲା ଖେଳ
ସନ୍ଧ୍ୟା ବେଳେ ପାଠ ପଢ଼ା ଡିବିରି ଲଣ୍ଠନ ଆଲୁଅରେ
କଲମର କାଳି ପୋଛା ହୁଏ ହାତରେ,ମୁଣ୍ଡରେ ।
ବୋଧେ ଶେଷ ପିଢ଼ି ଥିଲା ଆମର ସେ'ପିଲା ବେଳ
ପରୀକ୍ଷା ଦିନ ଦି' ଟି' କଲମ ଥିଲା ସତେ ବଳ
ଆଗ ନାମ ଲେଖା, ବହି ଖାତା ମଲାଟ ଉପରେ
ମନର ଭାବନା ଲେଖି ହେଉ ଥିଲା ବି ଚିଠିରେ ।
ବୋଧେ ଶେଷ ପିଢ଼ି ଥିଲା ଆମର ସେ' ପିଲା ବେଳ
ପନ୍ଦର ପଇସା ପୋଷ୍ଟ କାର୍ଡ ରେ ଚିଠି ଚହଳ
ମନ ବେଶି ଖୁସି ହେଉଥିଲା ପାଞ୍ଚ ଟଙ୍କା ଧାରେ
ଯଦି ବା କିଏ ,କେବେ ପଠାଏ ମନି ଅର୍ଡର୍ ରେ ।
ବୋଧେ ଶେଷ ପିଢ଼ି ଥିଲା ଆମର ସେ' ପିଲା ବେଳ
ଫ୍ୟାନ୍,କୁଲର୍, ଓ ଏ ସି ପାଇଁ ନ ଥିଲା ବ୍ୟାକୁଳ
ବିଞ୍ଛି ହୋଇ ଶୋଇବା ହୁଏ ବାଉଁଶ ବିଞ୍ଛଣାରେ
ଗାଧୁଆ ବି ହୁଏ ରାଶି ତେଲ ଲଗାଇ ମୁଣ୍ଡରେ।
ବୋଧେ ଶେଷ ପିଢ଼ି ଥିଲା ଆମର ସେ ' ପିଲା ବେଳ
ଲାଇଫବୟ, ସାବୁନ ଦ୍ଵାରା ଡ୍ରେସ୍ ନିରିମଳ
ଇସ୍ତ୍ରୀ ହେଉଥିଲା ନିଆଁ ରଖି ପିତଳ ଢାଳ ରେ
ଖାଦ୍ୟ ପ୍ରାୟ ଜାଉ ଆଉ ଶୁଖୁଆ ପୋଡ଼ା ସାଥିରେ ।
ଶେଷ ପିଢ଼ି ଥିଲା ଆମର ସେ ପିଲା ବେଳ ବୋଧେ
ବହି ଖାତା ସବୁ କିଛି ରହେ କନା ମୁଣି ମଧ୍ୟେ
ଡର ଲାଗେ ପ୍ରାୟ ଦେଖି ଗୁରୁଜନଙ୍କୁ ବାଟରେ
ମୁଣ୍ଡିଆ ମାରିବା ବି ସଂସ୍କାର ଥିଲା ମନ୍ଦିରରେ।
ବୋଧେ ଶେଷ ପିଢ଼ି ଥିଲା ଆମର ସେ ପିଲା ବେଳ
ଫ୍ରେମ ଭିତରେ ଗୋଡ ରଖି ଶିଖୁ ଥିଲା ସାଇକଲ
ସାଇକଲ ମିଳିଗଲେ ଖୁସି ହେଉଥିଲା ମନ ବେଶି
ଆଣ୍ଠୁ ଗଣ୍ଠି ଛିଣ୍ଡି ବି ଥିଲା ସାଇକଲ ରୁ ଖସି।
ଆମେ ହିଁ ବୋଧେ ସେଇ ଶେଷ ପିଢ଼ି ବେଳର ପିଲା
ଯିଏ କାଞ୍ଜି,ପିତା ଶାଗ,କଖାରୁ ଫୁଲ ଖାଉଥିଲା
ମାଛ ମାଂସ ହେବା ଦିନ ଟିକେ ବେଶି ଖାଉଥିଲା
ଭୋଜି ଖାଇ ହାତ ଧୋଇ ପୁଣି ଶୁଙ୍ଘି ଦେଉ ଥିଲା ।
ଆମେ ହିଁ ବୋଧେ ସେଇ ଶେଷ ପିଢ଼ି ବେଳର ପିଲା
ଦୀପାବଳିରେ ଫୁଟି ନ ଥିବା ବାଣ ଖୋଜୁଥିଲା
ପୁଣି ଥରେ ନିଆଁ ଲଗାଇ ଖୁସି ବି ଲାଗୁଥିଲା
ସ୍କୁଲ୍ ପଛ ପଟ ବୁଦା ମଧ୍ୟେ କୋଳି ଖୋଜୁଥିଲା ।
ଆମେ ବୋଧେ ସେଇ ସମୟରେ ଶେଷ ପିଢ଼ି ପିଲା
ଯିଏ ପୋଖରୀ ପାଣିରେ ଘଣ୍ଟା ଘଣ୍ଟା ବୁଡି ରହୁଥିଲା
ବର୍ଷାରେ କାଗଜର ଡଙ୍ଗା ଭସାଇ ଖୁସି ହେଉଥିଲା
କଙ୍କି ଧରି ଲାଞ୍ଜରେ ସୂତା ବାନ୍ଧି ଉଡାଉଥିଲା ।
ଆମର ପିଲା ସମୟ ବୋଧେ ଶେଷ ପିଢ଼ି ଥିଲାସାଧବ ବୋହୂ ପୋକ,ଦିଆସିଲି ରେ ରଖୁଥିଲା
ବର୍ଷା ଦିନେ ଲୁଚି ଛପି ରହି ମାଛ ଧରୁଥିଲା
ବନ୍ସି କଣ୍ଟା ଧାରେ ମାଛ ଧରି ଖୁସି ଲାଗୁଥିଲା ।
ଖରା ଦିନେ ପ୍ରାୟ ପତଙ୍ଗ ଉଡ଼ାଇ ଖୁସି ଥିଲା
କଞ୍ଚା ଆମ୍ବ ଲୁଣ ମିଶା ଦେଖି ଲାଳ ବୋହୁ ଥିଲା
ସେ' ପିଲା ବେଳ ଖେଳ ସତେ ବହୁତ ଭଲ ଥିଲା
ସମୟ ସୁଅରେ ସବୁ କିଛି ପ୍ରାୟ ହଜିଗଲା ।
ଆମର ପିଲା ସମୟ ବୋଧେ ଶେଷ ପିଢ଼ି ଥିଲା
ସେ' ସମୟ ଖେଳ ,ସବୁ କିଛି କାହିଁ ହଜିଗଲା
ଆମର ସେ' ପିଲା ବେଳ ସବୁ ସ୍ମୃତି ହୋଇଗଲା
ଫେରିବେନି ପିଲା ଦିନ ସ୍ମୃତି ଅଲିଭା ଅଭୁଲା ।
