ଶେଷ ଅଙ୍କ
ଶେଷ ଅଙ୍କ
ସବୁଠୁ ସୁନ୍ଦର ଶାନ୍ତିର ସାଗର
ସୁନ୍ଦରୀ ସତୀ ପ୍ରେମିକା
ଧରିଥାଏ କୋଳେ ଶେଷ ସମୟରେ
ଦିଏ ନାହିଁ କେବେ ଧୋକା
ଆନନ୍ଦ ନିଦ୍ରାରେ ଶୁଆଇ ଥାଏ ସେ
ନଥାଏ ସପନ ଯହିଁ
ସଂସାର ଜଞ୍ଜାଳ ଅଭିନୟ ଖେଳ
ପୂର୍ଣ୍ଣଛେଦ ପଡ଼େ ତହିଁ
ପିତା,ପୁତ୍ର,ଭାଇ ଭଗିନୀ,ବାନ୍ଧବୀ
ମାଆ ସାଙ୍ଗସାଥୀ ଡୋର
ସବୁ ଏକୀଭୂତ ଧନ୍ୟ ଏ ଜଗତ
ଉର୍ଦ୍ଧରେ ଚେତନା ସ୍ତର
ରାଗ, ହିଂସା, ଦ୍ୱେଷ ଛଳନା, କପଟ
ପ୍ରେମ, ପ୍ରୀତି, ଭାବ ରସ
ଭବ ମୋହ ଜାଲ ମାୟାର ମହଲ
ସବୁ ହୋଇଯାଏ ଶେଷ
ରାସ୍ତା ମିଳିଯାଏ ସ୍ରଷ୍ଟାଙ୍କ ଚରଣେ
ମିଳନର ମଧୁ ପର୍ବ
ନ ରହେ ସେଠାରେ ତିଳେମାତ୍ର କା'ରେ
ଦମ୍ଭ, ଅହଂକାର, ଗର୍ବ
ଜୀବନ ନାଟକ ସେହି ଶେଷ ଅଙ୍କ
ପଡେ ଯବନିକା ପାତ
ଜଡ ଏ ଶରୀର ଯଶ, କୀର୍ତ୍ତି ସାର
ଉତ୍ତମ କରମେ ଜାତ
