ଶେଫାଳିକା
ଶେଫାଳିକା
ଶରତ ରାତିରେ ଶୀତଳଜ୍ୟୋତ୍ସ୍ନାରେ
ହସୁଛି ରସୁଛି ବସି ଏକାଏକା
କେଉଁ ଦେବତାର କ୍ଷଣିକ ଆଶିଷେ
ରାତିକ ପାଇଁକି ଆସି ଶେଫାଳିକା ।
ଶୁଭ୍ର ପାଖୁଡାରେ ନାଲି ଅଳତାରେ
ଅପୂର୍ବ ସୁନ୍ଦର ଦିଶେ ଶେଫାଳିକା
ହୋଇଅଛି ଲେଖା ସେ ପାଖୁଡା ଦେହେ
କାହାର ସେ ପ୍ରିୟା କା' ଅଭିସାରିକା ।
ନୀଳ ଗଗନରେ ତାରାଗଣ ମେଳେ
ଭସା ମେଘ ପଛରେ ଲୁଚି ଲୁଚିକା
ଶରତର ଶଶୀ ଦେଉଥାଏ ହସି
ଯହିଁ ଯାଏ ଫସି ରମ୍ୟା ଶେଫାଳିକା ।
ଗୋଟିଏ ରାତିର ଆୟୁଷ ତାହାର
କୋଟିଏ ସପନ ମନରେ ସାଇତା
କ୍ଷଣିକର ସୁଖ ଜୀବନ ଅଳିକ
ଭାଗ୍ୟରେ ତା' ଲେଖିଛି କେଉଁ ଦେବତା ।
ରାତି ସରିଗଲେ ଜହ୍ନ ଚାଲିଯିବ
କାନ୍ଦି ବିରହ ବିଧୂରା ଶେଫାଳିକା
ଆଙ୍କନ୍ତେ ସୂରୁଜ ଆଲୁଅ ମୁରୁଜ
ଭୂତଳେ ପଡିବ ଲୋଟି ଶେଫାଳିକା ।
ସର୍ବ ଅଭିଳାଷ ତାର ହୁଏ ଶେଷ
ଶେଷ ହୋଇଯାଏ ତାର ଅଭିସାର
କ୍ଷଣିକ ଭିତରେ ଅଳିକ ଜୀବନେ
ଭାଙ୍ଗିଯାଏ ସପନର ବାଲିଘର ।
ଜୀବନର ଏହା କଥା ଟେ ଅକୁହା
ମିଛ ମୋହମାୟା ପଛେ ଧାବମାନ
ମାୟା ମରିଚିକା କେବେ ମିଳେ ନାହିଁ
ସବୁ ଆଶା କେବେ ହୁଏନା ପୂରଣ ।
ଅଳିକ ଜୀବନ ହେବ ଅର୍ଥପୂର୍ଣ୍ଣ
କରିଗଲେ ଉପଯୁକ୍ତ କର୍ମମାନ
କୋଟିଏ ସପନ କରିବାକୁ ହେବ
ଗୋଟିଏ ମାତ୍ର ଜୀବନରେ ପୂରଣ ।