ଶବଟିଏ
ଶବଟିଏ
ଦେହରେ ଜୀବନ ରହି ଥିବା ଯାଏ
ସମସ୍ତେ କହନ୍ତି ଜୀବଟିଏ
ଦେହରୁ ଜୀବନ ଛାଡି ଗଲା ପରେ
ସିଏ ହୋଇଯାଏ ଶବ ଟିଏ ।
ଛୁଇଁବ ଛୁଇଁବ ସମସ୍ତେ କୁହନ୍ତି
ଛିଡା ହୋଇଥାନ୍ତି ଖଣ୍ଡେ ଦୂରେ
ରୋକି ହୁଏ ନାହିଁ ଛାତିର ଯନ୍ତ୍ରଣା
ନୟନରୁ ଆପେ ଲୁହ ଝରେ ।
ଭାବୁ ଥାଏ ତାର ଅତୀତ କଥାକୁ
ମନେ ପକାଏ ସେ ପ୍ରତି ମୂହୁର୍ତ୍ତକୁ
ଆଖିରେ ସ୍ମୃତି ତା ନାଚୁ ଥାଏ ।
ହେଇଗଲା ପରେ ଶବଟିଏ ।
କେତେ ଲୋକ ରୁଣ୍ଡ ହୋଇ ଦେଖୁଥାନ୍ତି
ନା କାହା ତୁଣ୍ଡରୁ କଥା ସ୍ଫୁରେ
ମନରେ ଖେଳଇ ଅନେକ ଭାବନା
ଅତୀତ କଥାକୁ ମନ ଝୁରେ ।
ବଞ୍ଚି ଥିବା ବେଳେ କେତେ ହସ ଖୁସି
ଦୁଃଖ ସୁଖର ସେ ସାଥି ଟିଏ
ମରିଗଲା ପରେ ଶବଟିଏ ହେଲେ
ତା ପାଖ ନା ମାଡେ ଆଉ କିଏ ?
ଇଚ୍ଛା ହୋଉଥାଏ ପାଖକୁ ଯିବାକୁ
ମନା ହେଉଥାଏ ଶବ ଛୁଇଁବାକୁ
ଦାଣ୍ଡ ଦୁଆରେ ସେ ପଡି ଥାଏ ।
ଶବଟିଏ ସିଏ ଶବଟିଏ
କେତେ ରାଗ ଈର୍ଷା ମାନ ଅଭିମାନ
ଶରୀରେ ଜୀବନ ଥିବା ଯାଏ
ମୋର ମୋର ବୋଲି ସବୁ କହୁଥାଏ
ପଡି ଲୋଭ ମାୟା ମୋହେ ସିଏ ।
ଆତ୍ମୀୟ ସ୍ବଜନ କାନ୍ଦୁଥାନ୍ତି ପାଖେ
ସେ ଦୃଶ୍ୟ ଦେଖିଲେ ଥରେ ଛାତି
ସରିଯାଏ ତାର ଜୀବନ କାହାଣୀ
ଖେଳ ତାର ସବୁ ହୁଏ ଇତି ।
ଶୂନ୍ୟ ହୋଇ ଆସେ ଯାଏ ଶୂନ୍ୟ ହୋଇ
ସାଥେ ଥାଏ ଖାଲି ପାପ ପୁଣ୍ୟ ଦୁଇ
ବାଲି ଶଯ୍ୟାରେ ସେ ଶୋଇଯାଏ ।
ଶବଟିଏ ସିଏ ଶବଟିଏ ।
ମଲା ମଲା ବୋଲି କହନ୍ତି ସମସ୍ତେ
ନା ସାଥିରେ ତାର ଯାଏ କିଏ
କୋକେଇରେ ଯାଇ ମଶାଣୀ ଭୂଇଁର
କାଠର ଶେଯରେ ଶୋଇ ଯାଏ ।
ଶବ ନେଲା ପରେ ଦାଣ୍ଡର ଦୁଆରେ
ଛେରାପାଣି ପକା ଯାଇଥାଏ
କିଏ କାନ୍ଦୁ ଥାଏ କିଏ ହସୁ ଥାଏ
ସମ୍ପତ୍ତିରେ ଆଖି ରଖେ କିଏ ?
ମଶାଣୀ ଜୁଇରେ ଜଳୁ ଥାଏ ସିଏ
ଜଳି ଜଳି ପାଉଁଶ ସେ ହୋଇଯାଏ
ନା ତା କଥାକୁ ଆଉ ଭାବେ କିଏ ?
ଶବଟିଏ ସିଏ ଶବଟିଏ ।
ବଞ୍ଚି ଥିବା ବେଳେ ନା କିଏ ପଚାରେ
ଖାଇବାକୁ ନା ଦିଏ କିଏ
ମରିଗଲା ପରେ ଶବ ପାଖେ ବସି
ମିଛରେ ଗଡାଏ ଲୁହ ସିଏ ।
ଏମିତି ଅନେକ ଘଟଣା ରହିଛି
ଏ କଥାଟି ଜମା ମିଛ ନୁହେଁ
ବଞ୍ଚି ଥାଉ ଥାଉ ମାରି ଦ୍ୟନ୍ତି କେତେ
ଜୀଅନ୍ତା ଶବଟେ କରି ସିଏ ।
ଅଚଳ ଅବସ୍ଥେ ପଡି ରହି ଥାଏ
ନିଃଶ୍ବାସଟି ଖାଲି ଯାଇ ଆସୁଥାଏ
ନା ସେବା ତାର କରେ କିଏ ।
ମଲା ଶବଟିଏ ହୁଏ ସିଏ ।
ଲୋକ ଦେଖାଣିଆ କରୁ ଥାନ୍ତି ସେବା
ଭିତରେ ଅନେକ ଭାଷା କହି
କିକର୍ତ୍ତବ୍ୟ ମୂଢ ହୋଇ ପଡି ଥାଏ
ସବୁ ଯନ୍ତ୍ରଣାକୁ ଯାଏ ସହି ।
କହି ପାରେ ନାହିଁ କାହାର ଆଗରେ
ହୃଦୟ ବେଦନା ଖୋଲି ତାର
ଛଟ ପଟ ହୋଇ ଜଳି ମରୁ ଥାଏ
ଝରୁ ଥାଏ ଖାଲି ଲୁହ ଧାର ।
ଜୀଅନ୍ତା ଶବଟି କଷ୍ଟ ଲାଗେ ଭାରି
ହୃଦୟ ତାହାର ହୁଅଇ ବିଦାରି
ସତ ମୃତ୍ୟୁ ସେ ଚାହିଁ ଥାଏ ।
ଶବ ପରି ପଡି ରହି ସିଏ ।
ଶବଟିଏ ଦେଖି ଗୌତମ ବୁଦ୍ଧ ଯେ
ସଂସାର ତ୍ୟାଗୀ ସେ ହୋଇଥିଲେ
ଜୀବନର ସତ ମାର୍ଗ ସେ ଦେଖାଇ
ବୌଦ୍ଧଧର୍ମ ଗ୍ରନ୍ଥ ରଚି ଗଲେ ।
ଆଶା ହିଁ ତ ଦୁଃଖ ଦୁଃଖର କାରଣ
କାମନା ସର୍ବଦା ରହି ଥାଏ
କାମନା ବିନାଶ ଦୁଃଖର ବିନାଶ
ନିର୍ବାଣ ମୁକତି ମିଳି ଯାଏ ।
ଶବ ହିଁ ମଙ୍ଗଳ ଶବ ହିଁ ତ ଶେଷ
ଶବ ହୋଇ ଗଲେ ସବୁ ହୁଏ ଶେଷ
ମର୍ତ୍ତ୍ୟ ଧାମରୁ ସେ ଚାଲି ଯାଏ ।
କହୁ ଥାନ୍ତି ଦେଖ ଶବ ଯାଏ ।
ଶବଟିଏ ସିଏ ଶବଟିଏ ।
