STORYMIRROR

Kunja Bihari Dalai

Classics

4  

Kunja Bihari Dalai

Classics

ଶବରୀ ସହ ଶ୍ରୀରାମ ଲକ୍ଷ୍ମଣ ଭେଟ

ଶବରୀ ସହ ଶ୍ରୀରାମ ଲକ୍ଷ୍ମଣ ଭେଟ

2 mins
355

ଶ୍ରବଣା ବିବାହ     ଭବ୍ୟ ସମାରୋହ 

    ସକାଶେ ସହସ୍ର ଜୀବନ

ନାଶି ଖାଦ୍ୟପେୟ   ଆୟୋଜନ ଥୟ 

     କଲାରୁ ଶବର ରାଜନ,

        ରାଜକୁମାରୀ

      ରାତ୍ରେ ଭବନୁ ଲୁଚିକରି,

ଚାଲି ଗଲା ବନେ     ଅସ୍ବୀକାର ପଣେ 

       ବିବାହ ସୁଖ ତ୍ୟାଗକରି ।


ମାତଙ୍ଗ ମହର୍ଷି       ଆଶ୍ରମେ ପ୍ରବେଶି

       ଦର୍ଶନ ମନାସି ଗୋପନେ ,

ରହି ଲତା କୁଞ୍ଜେ       ଅବକାଶ ପୁଞ୍ଜେ

       ଉପାୟ କୁ ଖଞ୍ଜେ ଯତନେ

           ପ୍ରାତଃ ପୂର୍ବର 

         ଆଶ୍ରମ ପଥ ପରିଷ୍କାର

କରି ସୁମନରେ        ସୁସଜ୍ଜିତ କରେ

        ଦେଖି ଚକିତ ମୁନିବର ।


ନପାରନ୍ତି ଜାଣି        କିଏ ନିତ୍ଯ ଆଣି

        ଫୁଲର ବିପଣି ସଜାଏ

କି ଉଦ୍ଦେଶ୍ୟ ରଖେ     ନ ଆସି ସମ୍ମୁଖେ  

        ଲୁକ୍କାୟିତ ଭାବରେ ରହେ

            ଶିଷ୍ୟ ଡାକିଣ 

         କହିଲେ କର ଅନେଷ୍ବଣ 

ଶ୍ରବଣା କର୍ତ୍ତବ୍ୟ       ସମୟେ ଧର୍ତ୍ତବ୍ଯ

         ରୂପେ ଆସିଲା ସନ୍ନିଧାନ ।


କହନ୍ତି ମୁନୀଶ       କିମ୍ପାଇଁ ବାଳୀଶ 

         ଏ ଭବିଷ ନିତି କରୁଛ 

କେଉଁ ଉପକାର       ସକାଶେ ମୋହର  

        ସେବାପରାୟଣା ହୋଇଛ 

            କନ୍ଯା କାହାର,

          ପରିଚୟ କିବା ତୁମର

ବିବାହ ବୟସେ          ଏବନ ପ୍ରଦେଶେ 

          କି କାରଣ ନେଇ ବିହର ।


ବିନୟେ ଶ୍ରବଣା          କହେ କର ଘେନା 

         ଦୁଃଖିନୀ କୁ ଶିଷ୍ଯା ରୂପରେ,

ପିତାମାତା ବାସ          ତେଜି ବନବାସ 

         କରିଥିଲା ଯେଉଁ ବିଧିରେ

             ସତ କହିଣ

           ଧରିଲା ମୁନିଙ୍କ ଚରଣ,

ହୋଇ ଧ୍ୟାନ ରତ         ଜାଣି ଭବିଷ୍ୟତ 

         ମୁନି ଆଶ୍ରୟ କଲେ ଦାନ ।


ନିତ୍ଯହ ଶ୍ରବଣା           ଆଶ୍ରମ ଅଗଣା 

         ମାର୍ଜନା କରି ଦିନ ନିଏ

ଋଷି ପ୍ରବଚନ            କରଇ ଶ୍ରବଣ 

         ଭକ୍ତି ରଖିଣ ପ୍ରଭୁ ପାଏ

             ଦିନେ ମହର୍ଷି,

          ମନକୁ ତାହାର ଆଶ୍ବାସି

କହନ୍ତି ଶ୍ରବଣା             ତୋ ଭକ୍ତି ପାଉଣା

         ଦେଖିବୁ ନେତ୍ରେ ବ୍ରହ୍ମରାଶି ।


ସ୍ବୟଂ ପର‌ଂବ୍ରହ୍ମ            ରାମ ରୂପେ ଜନ୍ମ

          ବନ ଆଗମନ କରିବେ,

ସୀତାଙ୍କୁ ହରାଇ            ଖୋଜି ଖୋଜି ଏହି

          ଆଶ୍ରମ ବାଟ ଦେଇ ଯିବେ 

              ପଦ ସେବିବୁ

            ପରମ ପଦକୁ ଲଭିବୁ,

ନାହିଁ ମୋର ଭାଗ୍ଯ          ଦେଖିଵା ସୁଯୋଗ

           ନିୟତି ଡାକେ ସ୍ବର୍ଗେ ଯିବୁ ।


ମୁନି ଗଲେ ସ୍ବର୍ଗ            ଧରି ଭକ୍ତି ମାର୍ଗ

          ଶ୍ରବଣା ରହିଲା ଆଶ୍ରମେ

ଅପେକ୍ଷାରେ ରହି          ସଜାଇ ରଖଇ

          ସୁମିଷ୍ଟ ଫଳ ସଯତନେ,

             ବନ ପଥରେ

          ସଜାଇ ରଖେ ସୁମନରେ,

ଭଜେ ରାମ ରାମ           କେବେ ମନସ୍କାମ

           ପୂରଣ ହୋଇବ ବିଚାରେ ।


ମୁନି ବାକ୍ଯ ସତ୍ଯ         ହଜାଇ କଳତ୍ର     

          ରାମ ଲକ୍ଷ୍ମଣ ଆସି ହେଲେ,

ଦେଖିଲେ ପଥରେ        ସଜ କୁସୁମ ରେ

          ସଜାଇ ବୃଦ୍ଧା ଅବହେଳେ

             କହେ ଶ୍ରୀରାମ

          କେବେ ଆସିବ ମୋର ଧାମ

ଦୁଇ ଭାଇ ଯାଇ        ଆଶ୍ରମେ ହୁଅନ୍ତେ

        ସାଗ୍ରହେ କଲା ସେ ପ୍ରଣାମ ।


ପଦ ଦେଲା ଧୋଇ       ଆସନେ ବସାଇ

         ଫଳମାନ ଆଣି ଥୋଇଲା 

ଭୁଞ୍ଜ ମହାପ୍ରଭୁ          ଚାଖି ଅଛି ସବୁ

        କହି ରାମଙ୍କୁ ଖୁଆଇଲା

           ରାମ ଲକ୍ଷ୍ମଣ

        ଆନନ୍ଦେ ଭୁଞ୍ଜି ଫଳମାନ

କହିଲେ ଜନନୀ         ଦେଇ ଖାଦ୍ଯ ପାଣି

        ପଥଶ୍ରମ କଲ ମୋଚନ ।


କହିଲା ଶବରୀ          ଏଥୁଁ ଯାଇକରି

         ପମ୍ପା ସରୋବର ଦେଖିବ,

ରୁଷ୍ଯମୁକ ଗିରି         ମଧ୍ଯେ ବାସକରି

         ରହିଛି ସୁଗ୍ରୀବ ଭେଟିବ

            ହେବ ମଇତ୍ର,

         ବାଳି ହରିଛି ତା କଳତ୍ର,

ତାହା ସହ ମିଶି          ଲଙ୍କାପୁର ଧ୍ବଂସି 

         ମାରିବ ରାବଣ ସଗୋତ୍ର ।


କହିଲା ଶ୍ରବଣା         କରନ୍ତୁ କରୁଣା

         ଗୁରୁ ଙ୍କ ସନ୍ନିକଟେ ଯିବି,

ଅନଳ ଜାଳିଲା          ତହିଁ ଝାସଦେଲା

        ପାଇଲା ପରମ ପଦବୀ ।

            ସ୍ବର୍ଗ ଭୁବନ

        ପ୍ରାପ୍ତ ହେଲା ନାରୀ ରତନ

ଜାତିରେ ଶବରୀ         ନିଷ୍ଠାପଣ ଧରି

        ସେବିଲା ପଙ୍କଜ ଚରଣ ।


Rate this content
Log in

Similar oriya poem from Classics