ଶବର କୋରସ୍ ଓ ନିସ୍ତବ୍ଦ ମୃତ୍ୟୁ
ଶବର କୋରସ୍ ଓ ନିସ୍ତବ୍ଦ ମୃତ୍ୟୁ
ଅନୁଚିନ୍ତନରେ ଭରା ଆତ୍ମ ବିଧ୍ୱଂସ ମନ,
ଶାନ୍ତ, ସ୍ଥିର, ଓ ଏକାଗ୍ରତାର ଅବସାନ ।
ପ୍ରାଗ୍ ଐତିହାସିକ ଘଣ୍ଟାର ସମୟ ସହ,
ମିଳେଇ ଦିଆ ଯାଇଛି ଜୀବନର ସମ୍ପୂର୍ଣ୍ଣ କାଳ ।
ଏକ ପରିତ୍ୟକ୍ତ ପ୍ରକାଶ ସ୍ତମ୍ଭ ତଳେ ଛିଡା ରହି,
ଦେଖିବାକୁ ପଡେ, ରୌଦ୍ର ଓ ଚନ୍ଦ୍ରାତାପରେ ଝଡି ପଡୁଥିବା,
ଦେବତାଙ୍କ ଗୋଟିଏ ପରେ ଗୋଟିଏ ଡେଣାର ପର ।
ସଂଗୀତର ସ୍ୱର ଭୁଲି ହୋଇ ଯାଏ !
ତୃଷ୍ଣାକୁ ପ୍ରଶ୍ନ କଲେ, ସେ କୁହେ -
ଇଏ ଏକ ବିଳମ୍ବିତ ପ୍ରତୀକ୍ଷା !
ଯେତେବେଳେ ଶ୍ମଶାନରେ ଶବ ମାନେ,
ଏକ ସ୍ୱରରେ ଗାଆନ୍ତି ନିଜ ମରଣର କୋରସ୍ ;
ନିସ୍ତବ୍ଦରେ ନିଶ୍ୱାସ ସେ ଗୀତ ଶୁଣେ।
ସମ୍ମିଳିତ ହେବାକୁ ଦିନେ ସେହି ସମବେତ ଗାନରେ,
ନିଜକୁ ରିଅରର୍ସେଲ୍ କରାଇନିଏ ।
ପ୍ରମାଦ ଓ ଭୟରେ, ମୃତ୍ୟୁର ରୋମାନ୍ସରୁ,
ବଞ୍ଚିତ ହୁଏ ଏକ ଅନୁପସ୍ଥିତ ଜୀବନ ।
ଆତ୍ମଘାତ ଯଦି ଜୀବନ ପ୍ରତି ଅବମାନନା ହୁଏ,
ତେବେ ମରିବାର ଜିଦ୍ ବି ବଞ୍ଚିବା ପ୍ରତି ତାତ୍ସଲ୍ୟତା ।
ଯାହାକୁ କହି ହୁଏ ନାହିଁ, କେବଳ ସହିବାକୁ ପଡେ,
ସର୍ବନାଶର ସ୍ୱପ୍ନ ସବୁବେଳେ ଜାଗ୍ରତରେ ଆସେ ।
ହେ ମୋର ପ୍ରିୟ ଈଶ୍ୱର !
ଅନ୍ତରୀକ୍ଷ ସଦୃଶ ଅନ୍ତଃକରଣ ତ ଦେଇଛ ।
ଏତିକି ମରଣ ଦିଅ, ଯେପରି ମରିବି ତ,
ନିଃଶବ୍ଦରେ, ବିନା କୋଳାହଳରେ !!