ଶବ୍ଦବୋମାର ଅନ୍ତରାଳେ
ଶବ୍ଦବୋମାର ଅନ୍ତରାଳେ


ଶବ୍ଦ ବ୍ୟବହାର ହିଁ ବିଚାର ସଂସ୍କାର
ଆଉ ବେଳେବେଳେ ବ୍ୟଭିଚାର
ଶବ୍ଦ ଉଚ୍ଚାରଣ ହିଁ ଆଚରଣ ଉଦ୍ଧାରଣ
ଆଉ ବେଳେବେଳେ ପାଗଳପଣ
ଶବ୍ଦ ବ୍ୟୁତ୍ପତ୍ତି ହିଁ ଓଁକାର ଉତ୍ପତ୍ତି
ଆଉ ବେଳେବେଳେ କଠୋରୋକ୍ତି
ଶବ୍ଦ ବିଶ୍ଳେଷଣ ହିଁ ତାର୍କିକ କାରଣ
ଆଉ ବେଳେବେଳେ ବିଷ୍ଫୋରଣ
ଶବ୍ଦର ଉପଚାର ହିଁ ସମସ୍ୟା ଆମନ୍ତ୍ରଣ
ଆଉ ସବୁବେଳେ ସମାଧାନ ନିୟନ୍ତ୍ରଣ
ବ୍ୟକ୍ତିର ବାହାର ଭିତର ଦିଶିଯାଏ କଣକଣ
ବୋଉ କହୁଥାଏ ନିତି ଅଭ୍ୟାସ କର ଛୁଆଗଣ
ଅଧୁନା କେତେ ବିଡ଼ମ୍ବନା
କିଛି ଲୋକେ ଶବ୍ଦକୁ ଧରି ପକାନ୍ତି
ଶବ୍ଦର ଅର୍ଥକୁ କଦର୍ଥ କରନ୍ତି
ବାକ୍ୟମାନଙ୍କୁ ବାକ୍ୟବାଣ ମାନନ୍ତି
ତୁଣ୍ଡରୁ ବାହାରିଥିବା ଅଭିବ୍ୟକ୍ତିକୁ
ତୁଣ୍ଡ କମାଣର ଦ୍ୱାହି ଦେଇ ମୁଁହ ଫୁଲାନ୍ତି
ଆଜି କେତେ ଇତି ବକ୍ରୋକ୍ତି
ପଛରେ କୁଆଡେ କୁତ୍ସା ରଟନ୍ତି
ବାଟୁଳି ବାଜୁନି କଥାରେ
କମା ବିରାମ ଚିହ୍ନ ବାଟ ହୁଡିଲେଣି ସଭାରେ
ଶବ୍ଦରେ ଲଗାମ ନାହିଁ
ପୂର୍ଣ୍ଣଛେଦ କାହିଁ ଦିଶୁ
ନି ଫୁଟାଣି ଗଦାରେ
ଶବ୍ଦରେ ଲାଳିତ୍ୟ ନାହିଁ
ମୁଁହ ଫଣଫଣ ଦିଶୁଥାଏ ପଦରେ ବାକ୍ୟରେ
ଏଠି ଶବ୍ଦର ମଡ଼କ ଦୁର୍ଭିକ୍ଷ
ଖାଲି ଫିଙ୍ଗାହୁଏ ଛାତିଫଟା ଶବ୍ଦବୋମା
କୁହୁଳେଇ ଦିଏ ଶତ ହିରୋସିମା
ଉସୁକେଇ ଦିଏ ଶହସ୍ର ନାଗାସାକି
ଲଢ଼େଇ କରିବାକୁ ସଜବାଜ ପରାର୍ଧ କୁରୁକ୍ଷେତ୍ର
ସବୁ ଖାଲି ପ୍ରହସନ
କଥିତ ଶବ୍ଦରୁ ମାପିବେ
ଆତ୍ମସ୍ଥ ପ୍ରଜ୍ଞାପ୍ରବୀଣ ଜନ୍ତୁରାଣ
ଅନ୍ତଃର୍ନିହିତ ମାନବୀୟ ଗୁଣ
ବାରବୁଲାର ବାରବାଟି ଚାଷ ପରି ଧୂଆଁବାଣ
ହେ ବୋକା ମାଧିଆଗଣ
ମନକର୍ଣ୍ଣ ଧ୍ୟାନ ଦେଇ ଶୁଣ
କୂଳରେ ଚକାପରି ବସି
ସମୁଦ୍ର ଦର୍ଶନ କରିପାର
ମହାସାଗର ବିଷୟରେ ବହେ
ଭାଷଣ ଦେଇପାର
ମହୋଦଧିର ନୀଳ ଉର୍ମିମାଳାକୁ ନେଇ
ସୁନ୍ଦର ଶବ୍ଦ ସୁମନ ରଚିପାର ଗୁନ୍ଥିପାର
ଅର୍ହନିଶ ମହୋଦଧିରେ ବୁଡ଼ ପକେଇ ପାର
ଭାବି କହିଲ ଦେଖି
ସମୁଦ୍ର ମାପିବା ସମ୍ଭବ ହେବ କି ?
ସମୁଦ୍ରର ଗଭୀରତା ଜାଣିବା ଅସମ୍ଭବ ନୁହଁ କି ?