ଶବ୍ଦ ସମ୍ଭାର
ଶବ୍ଦ ସମ୍ଭାର


ଯାହା କହି ପାରିଲ ଓଷ୍ଠ ଖୋଲି ଦେଇ ,
ତାହା ଅନନ୍ତ -ଅପାର ଶବ୍ଦ-ସମ୍ଭାର
ଯାହା ନ କହି ପାରିଲ କିନ୍ତୁ ମନେ ମନେ କହି ଚାଲିଲ,
ତାହା ଅନୁଭୂତି -ଅନ୍ତର ପାତାଳ- ଗହ୍ଵର
ଆଉ ଯାହା କହିବାକୁ ମନ କିନ୍ତୁ କହିବାକୁ ଶଙ୍କା
କୂଳ କୁଟୁମୂଙ୍କୁ କରିବ ବଙ୍କା,
ତାହା ଲକ୍ଷ୍ମଣରେଖା
ମର୍ଯ୍ୟାଦାର- ସୀମାଗାର ମାଇଲ୍ -ପ୍ରସ୍ତର ।
ମନେରଖ ହେ ମୁଢ଼ମତି !
ଜନ୍ମ ହେଲେ କୁଆଁ କୁଆଁ
ଜାଣିଲେ ସଭିଏଁ ଆସିଗଲ ପଡ଼ିଆକୁ
ଜୀବନର ନାଟ ତମସା ଅଭିନୟ ।
ମରିଲେ ସଭିଏଁ କଉଁ କଇଁ
ଚାରି କାନ୍ଧରେ ବୁହା ହେବୁ
ପଡ଼ିଆ ପ୍ରାନ୍ତର ଛାଡ଼ିବୁ
ଘର ଦ୍ଵାର ଆପଣା ପର ତେଜିବୁ
ଜୀବନ ଯୁଦ୍ଧରେ କଳା ଯବନୀକାର
ଶାନ୍ତ ପ୍ରଶାନ୍ତ ତ୍ରସ୍ତ ମହୀ ।
ଜନ୍ମ - ମରଣ ମଝିରେ
ପତ୍ର ଭଳିଆ କିଛି ବଂଧୁତ୍ଵର ବର୍ଷ
ଆଜି କଂଚା ସବୁଜ ଲହ ଲହ
କାଲି ପାଚିଲା ଶୁଖିଲା ଝରା କୋହ
ଚେର ସହିତ ସଂପର୍କ ରଖିଥା
ଡ଼େମ୍ଫ ସହିତ ଯୋଡିଲେ କିବା ଲାଭ
ସଂପର୍କ ହେବ ସିମେଣ୍ଟ ଭଳିଆ
ସମ୍ବନ୍ଧ ହେବ ହିଁ ମହା ଟାଣୁଆ
କେବେ ଅନ୍ଧର ଅଭିନୟ
କେବେ ମୂକର ପରିଚୟ
କେବେ ପୁଣି ବଧୀର କତିପୟ ।
ଜୀବନ ଏକ ରଂଗୀନ ରଂଗମଞ୍ଚ
ନିଖୁଣ ଅଭିନୟ ଆଣିବ ରୋମାଞ୍ଚ
ଶ୍ରାବଣ ଝରଇ ଟିପି ଟିପି
ନିଦାଘ ଗରମ ଗଲା ଖେପି
ଗର୍ବ ଗଞ୍ଜନ ଭଞ୍ଜନ ହେଲା
ଗ୍ରୀଷ୍ମ ବେସି ଦିନ କି ରହିଲା ?
ଜୀବନ ରହିଯାଏନା କାହାର ବିନା
ଜୀବନ ବି ବିତେନା ଆପଣାର ବିନା
କଥାରେ ସରସ ହସରେ ସୁବାସ
ହସି ଖେଳି ସାରିବା ଏ ବନବାସ
ପ୍ରତ୍ୟେକ କ୍ଷଣ ହେଉ ଶବ୍ଦ ସମ୍ଭାର
ମଲାପରେ ସର୍ବେ ଖୋଜା ବାରବାର ।