STORYMIRROR

Biswanath Nayak

Tragedy

3  

Biswanath Nayak

Tragedy

ଶୈଶବର ଅଭିମାନ

ଶୈଶବର ଅଭିମାନ

1 min
113


ଧାଇର ଘୁଙ୍ଗୁଡି ଶବ୍ଦେ

ଯେତେବେଳେ ଭାଙ୍ଗିଯାଏ ମୋ କଅଁଳ ନିଦ,

ଏତେବଡ ଦୁନିଆଁରେ

ଲାଗେ ମୋତେ ଭାରି ଏକୁଟିଆ।

ତେଣୁ ତୁମ ଅଫିସ୍ ର କାମ ସାରି

ଶୀଘ୍ର ଟିକେ ଫେରିଆସ ମାଆ।

ବୋତଲ ଟେକା ପାଣିରେ

ପେଟ ମୋ ପୁରିଛି ହେଲେ,

ମେଣ୍ଟି ନାହିଁ ମୋ ମନର କ୍ଷୁଧା।

ତୁମ ପଣତ ଉହାଡେ ଲୁଚାଇଣ ମୁହଁ,

ଚାହେଁ ମୁହିଁ ପିଇବାକୁ

ତୁମ ବୁକୁ ବାତ୍ସଲ୍ୟ ର ସୁଧା।

କିନ୍ତୁ! ଆଜି ବ୍ୟସ୍ତ ରହି ନିଜ ଚାକିରୀ ରେ,

ମୋ ପାଇଁ ତୁମ ପାଖେ ନାହିଁ ତ ସମୟ,

କୋଳରେ ବସାଇ ମୋତେ

ଡାକିବାକୁ ସରଗ ଶଶୀକୁ।

ଯାଇ ମୁଁ ପାରୁନି ଆଜି

କାହ୍ନୁ ସାଜି ଗୁରୁଣ୍ଡି ଗୁରୁଣ୍ଡି,

ତୁମେ ମନ୍ଥୁଥିବା ଦଧିହାଣ୍ଡି ଭାଙ୍ଗିବାକୁ।

ତେଣୁ ମୋର ଶଇଶବ

ପଡିଅଛି ବନ୍ଧା ଆଜି ଧାଈ ନିକଟରେ।

ତେଣୁ ହେ ଜନନୀ ମୋର!

ମୋ ବାତ୍ସଲ୍ୟ ମମତା କୁ

ତଉଲନା ଆଜି ତୁମେ କାଗଜ ଟଙ୍କାରେ।

ଏହି ଟଙ୍କା ବଦଳରେ

ବନ୍ଧା ପଡିଥିବା ମୋର ଏହି ଶୈଶବକୁ,

ମୁକୁଳାଇ ମୋତେ କାଲି ଦେଇ ପାରିବ ତ?

ଏହି ଆଦର୍ଶ ରେ ବଢି

ସମ୍ପର୍କ ଓ ମମତା କୁ ଜଳାଞ୍ଜଳି ଦେଇ,

ପଇସା ପଛରେ ଧାଇଁ

ମୋତେ ଯଦି ନ ମିଳେ ସମୟ,

କାଲି ଆସି ତୁମ ପାଦ ଆଉଁସି ଦେବାକୁ,

ତୁମ ମନ ଦୁଃଖ ହେବନି ତ?

ତେଣୁ ଆହେ ମାଆ ମୋର!

ଦୁଖଃ କରି ସେତେବେଳେ

କାହାଆଗେ କହିବନି-

ମୋ କଥା ବୁଝିବାକୁ

ପୁଅ ମୋର ସେବିକା ରଖିଲା,

ଆସିଲାନି ନିଜେ ମୋର ଦୁଖଃ ବୁଝିବାକୁ।

ବାର୍ଦ୍ଧକ୍ୟର କଷ୍ଟ ମୋର

ତା ହାତରେ ସାଉଁଟି ନେବାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy