ଶାଶୁଘର
ଶାଶୁଘର
ଝିଅଟିଏ ଯେବେ ଯାଏ ଶାଶୁଘର
ମଥାରେ ଓଢ଼ଣା ଟାଣି,
ନଇଁ ନଇଁ ଚାଲେ ନୂଆବଧୂ ସାଜି
ପାଦ ଦୁଇ ଗଣି ଗଣି l
ନଇଁ ଚାଲିଯାଏ ନୁଆଁଣିଆ ଘରେ
ମନକୁ ନ କରି ଛୋଟ,
ମାନ ସମ୍ମାନ ଓ ବୁଦ୍ଧି ବିବେକରେ
ଦିନେ ତ ହୋଇବ ସେଠ l
ଶାଶୁଘର ଦେଖି ଯୌଥ ପରିବାର
ମନରେ ଅନେକ ପ୍ରଶ୍ନ,
ତାଙ୍କ ମନ ଭାବନା ବୁଝି ସବୁ
କିପରି କାଟିବ ଦିନ ? I
ଏବେ ସେ ଆରମ୍ଭ କରିବ ସଂସାର
ବୁଝି ପାରିବ କି ଏତେ କଥା,
ଅନ୍ୟର ଭଲ ଭେଲ ତା' ଆଗେ କହି
ଆଉ କାହା ଆଗରେ ତାହାର ନଥା l
ଶାଶୁଘରେ ଯାଇ ନୂଆବଧୂଟିଏ
ପରଖେ ସଭିଁଙ୍କ ମନ,
ମନ ଜାଣି ଟେକି ପରଶି ଦିଏ
ପୁଷ୍ଟିକର ସ୍ଵାଦିଷ୍ଟ ବ୍ଯଞ୍ଜନ l
ଶାଶୁଘରେ ଯାଇ ମଣିଥାଏ ଝିଅ
ଏଇଠି ତା'ର ସ୍ଵର୍ଗପୁର,
ତଥାପି କାହିଁକି ବଧୂ ନିର୍ଯ୍ୟାତନା
ଆଜିର ତାଜା ସମାଚାର ? I
ମାଆକୁ ଛାଡିଣ ପାଇବ ଶାଶୁ
ବାପା ବଦଳେ ଶଶୁର,
ବିଧିର ବିଧାନ କେ କରିବ ଆନ ?
ଏଇ ଯେ ଭାଗ୍ୟ ଝିଅର l
ଦାରିଦ୍ର୍ୟ ନିପୀଡିତ ପିତାମାତା
କନ୍ୟାଦାନରୁ ମୁକ୍ତି ପାଇଁ ଦେଇଥାଏ ,
କେହି କେହି କନ୍ୟା ନିଜକୁ
ଅଭିଶପ୍ତ ଜୀବନ ମଣିଥାଏ l
ଏରୁଣ୍ଡି ଭିତରେ ଡରି ଚଳୁଥାଏ
ଶାଶୁଘର ସତେ ବଣ,
ସାହି ପଡ଼ିଶାଙ୍କର କି ଯାଏ
ଖୋଜନ୍ତି ଖାଲି ସେ ଖୁଣ l
ସ୍ଵାମୀର ମଦ୍ୟପାନ ଅବା ନିଶାସେବନ
ଅନ୍ୟ ଏକ କାରଣ,
ବିପଥଗାମୀ ନିଶାବଳରେ ସ୍ଵାମୀ
ସ୍ତ୍ରୀକୁ ଦିଏ ଅକଥନୀୟ କଷଣ l
ପାରିବାରିକ ବୁଝାମଣାର ଅଭାବରେ
ବଧୂ ହୁଏ ନିର୍ଯ୍ୟାତିତା,
ଶାଶୁ ଓ ନଣନ୍ଦ ତଥା ସ୍ଵାମୀ ଠୁଁ
ସହ୍ୟ କରିଥାଏ କଟୁକଥା l
ମନଲାଖି ଯୌତୁକ ନ ମିଳିଲେ
ବଧୂକୁ ଅକଥନୀୟ ଅତ୍ୟାଚାର,
ନାରୀ ଆଜି ଉତ୍ପୀଡିତା ଓ ନିର୍ଯ୍ୟାତିତା
ଏହାଲାଗି ସମାଧାନ କଷ୍ଟକର ବ୍ୟାପାର l
କୁଆଡେ ଗଲେ ମାନବାଧିକାରୀ କର୍ମୀ
କାହିଁକି ଏତେ ପଛଘୁଞ୍ଚା,
କେତେ ଜୁଝିଲେଣି ମରଣ ସାଙ୍ଗରେ
ଲୋକଙ୍କ ଆଖି ଆଗରେ l
ସ୍ଵାଧୀନତାର ମାନେ ଆଜି
ଗୋଟେ ନାରୀ ପାଇଁ କିଛି ନାହିଁ,
ଦୋଷୀକୁ ଦେବାକୁ ଦଣ୍ଡ
ଅଦାଲତ ପାଖରେ ଶକ୍ତି ନାହିଁ l
ସ୍ୱାର୍ଥପର ଏହି ଦୁନିଆଁରେ ଆଜି
ବଞ୍ଚିବାକୁ କଷ୍ଟ ଲାଗେ,
ବଳିପଡେ ନିତି ମଣିଷ ପଣିଆ
ମଣିଷର ସ୍ଵାର୍ଥ ଆଗେ l
ମନେହୁଏ କାହିଁ ସର୍ବସ୍ଵ ହରାଇ
ବଞ୍ଚି ରହିଛି ସେ ଏକା,
ଯେବେ ଦେଖେ ତା' ଆଖିରୁ ଝରୁଛି
ଲୁହ ଓ ଲହୁର ଟୋପା l