ଶାଶ୍ଵତ ପ୍ରେମ
ଶାଶ୍ଵତ ପ୍ରେମ
ବୟସର ଅପରାହ୍ନରେ
ଯେବେ ତୁମ ସହ ବିତିଯାଏ
କିଛି ମୁହୂର୍ତ୍ତ ,
ମନେପଡ଼ିଯାଏ ଯୌବନର
ଅଭୁଲା ଦିନ ମାନ ,
ଯେବେ ଦୂର ଦିଗ୍ ବଳୟରେ
ତୁମ ମୁହଁ ଦିଶିଗଲା ମାତ୍ରେ ,
ଆଖି ସହ ଆଖି ମିଶି
ରଚୁଥିଲା କେତେ ଯେ ପ୍ରେମ କବିତା;
କେମିତି ବା କହିବି ତୁମକୁ
ତୁମ ଆଖିରେ ଆଜି ବି ଅଛି
ସେ ସମ୍ମୋହନୀ ଶକ୍ତି,
ତୁମ ସ୍ପର୍ଶ ଆଜି ବି ସୃଷ୍ଟି କରେ
ମୋ ଦେହରେ ଏକ ଅଦ୍ଭୁତ ଶିହରଣ,
କିଏ ସେ କୁହେ କେଜାଣି !
ବୟସ ବଢି ବଢି ଗଲେ
ଝାପ୍ ସା ହୋଇ ହୋଇ ଯାଏ ପୁଣି
ପ୍ରେମର ରଙ୍ଗ !!!
ମୁଁ କିନ୍ତୁ ତୁମ ସହ ଯେତେ ଯେତେ
ସମୟ ବିତାଇଚାଲିଛି
ସେତେ ସେତେ ଭଲ ପାଇ ବସୁଛି ତୁମକୁ ,
ପ୍ରତିଦିନ ଏକ ଅଭିନବ ଉପାୟରେ,
ନୂଆ ଏକ ଶୈଳୀରେ,
ନୂଆ ଏକ ଢଙ୍ଗରେ ,,,
କେବେ ସକାଳ ଜଳଖିଆର
ନାଲି ଚା' ଆଉ ବିସ୍କୁଟ ରେ ତ
ଆଉ କେବେ ସନ୍ଧ୍ୟାର
ଗରମ ପକୁଡିରେ
ମୁଁ ଏବେ ବି ଅନୁଭବ କରେ
ତୁମ ଭଲ ପାଇବାର ସ୍ଵାଦ ,
ହୁଏତ କେବେ କହିପାରିଛି ତୁମକୁ
ଆଉ କେବେ ନୀରବ ରହି
ଅଙ୍ଗେ ଅଙ୍ଗେ ଅନୁଭବିଛି,
ପ୍ରେମମୟ ଜୀବନର ରଙ୍ଗୀନ ଦିନ ମାନ,
ବୟସର ଉତ୍ତରାର୍ଦ୍ଧରେ
କେବଳ ଏତିକି କହିବି ତୁମକୁ ,
ତୁମେ ହିଁ ଥିଲ ମୋର
ଯୌବନର ଉନ୍ମାଦନା
ଏବେ ତୁମେ ହିଁ ମୋର
ବାର୍ଦ୍ଧକ୍ୟର ସାହାରା
ଆଉ ସାତ ଜନ୍ମ ପାଇଁ ,
ତୁମେ ହିଁ ରହିବ ମୋ ସହ,
ସାଜି ମୋ ସ୍ଵପ୍ନର ଜୀବନ-ସାଥି ।