STORYMIRROR

Dr Prateek kumar Pahi

Drama

4  

Dr Prateek kumar Pahi

Drama

ଶାରଦୀୟା ନିରିମାଖୀ

ଶାରଦୀୟା ନିରିମାଖୀ

2 mins
343

ନଅଟି ରାତି ନଅଟି ରୂପ

ମାଆ ସେ ସଭିଙ୍କର,

ବସେଇ ଘଟ କରେ ସ୍ବାଗତ 

ଛୋଟ ଘରକୁ ମୋର ।।

ପର୍ବତ ସୁତା ପାର୍ବତୀ ମାତା 

ନାମଟି ଶୈଳପୁତ୍ରୀ,

ପ୍ରଥମ ଦୁର୍ଗା ଆଦ୍ୟ ପୂଜିତା 

ଆସିଲା ନବରାତ୍ରି ।।

ପୂଜା ଆସ୍ଥାନ ସଜାଡ଼ି ଦେଲି 

ନାଲି ଓଢ଼ଣୀ ଦେଇ,

ହଳଦୀ ଶଂଖା ଅଳତା ସାଥେ 

ନାଲି କୁଙ୍କୁମ ଥୋଇ ।।

ସ୍ୱସ୍ତିକ ଚିହ୍ନ ଦେବି ମୁଁ ଆଙ୍କି 

ଗୃହ ପ୍ରବେଶ ପଥେ,

ବିରଜା ଦେବୀ ବିଜେ ହୋଇବେ 

ଶାକ୍ତ ବିଜୟା ରଥେ ।।

ମାତାଙ୍କ ପାଦ ଦର୍ଶନ ପାଇଁ 

ଭକତ ସଜବାଜ,

ହସି ଉଠିବ ଯଜ୍ଞ ନଗର

ଗଡିଲେ ସିଂହଧ୍ବଜ

ଜପାମାଳି ଓ କମଣ୍ଡଳୁ କୁ 

ଦୁଇ ହାତରେ ଧରି,

ଘୋର ତପସ୍ୟା କରିଲେ ଦେବୀ 

ମହା ଯୋଗିନୀ ପରି ।।

ସତୀଙ୍କ ଆତ୍ମଦାହ ଉତ୍ତାରେ 

ସମାଧି ମଧ୍ୟେ ଶିବ,

ପ୍ରସନ୍ନ ହେଲେ ମାତାଙ୍କୁ ଦେଖି 

ବଢିଲା ପୁଣି ଭାବ ।।

ପାରିଲେ ଜାଣି ମହା ରୁଦ୍ରାଣୀ 

ଦ୍ବିତୀୟ ଜନ୍ମ ଏହି,

ଦ୍ବିତୀୟ ଦୁର୍ଗା ବ୍ରହ୍ମଚାରିଣୀ 

ସେ ପରା ମହାମାୟୀ ।।

ଜାଜ୍ଜ୍ବଲ୍ୟମୟ ମାତୃ ସ୍ବରୂପ 

ତପରେ ସଦା ଲୀନ,

କଠିନ କ୍ଷଣେ ଭକ୍ତଙ୍କୁ କରେ 

ଧୈର୍ଯ୍ୟ ସାହାସ ଦାନ

ବିବାହ ବନ୍ଧନେ ହୋଇଲୁ ଆବଦ୍ଧ 

ଧରିଲୁ ସଧବା ବେଶ,

ଗୃହସ୍ଥ ସାଜିଲେ ବିରକ୍ତ ଭୈରବ

ସେ ଯେ ପ୍ରଭୁ ଆଶୁତୋଷ ।।

ତୃତୀୟ ଦୁର୍ଗା ତୁ ଦେବୀ ଚନ୍ଦ୍ରଘଣ୍ଟା 

ଅପୂର୍ବ ଲାବଣ୍ୟମୟୀ,

ବୈରାଗୀ ଶିବଙ୍କୁ କରିଛୁ ସଂସାରୀ 

କୈଳାଶ ସ୍ବାମିନୀ ହୋଇ ।।

ମସ୍ତକେ ତୋହର ଚନ୍ଦ୍ର ସମ ଘଣ୍ଟ

ସୁଶୀତଳା ବନ୍ଦନୀୟା,

ତୁ ସିଂହ ବାହିନୀ ଭୁବନ ମୋହିନୀ

ଆଦିମାତା ଶିବପ୍ରିୟା ।।

ଶିକ୍ଷା ଦେଉ ମା' ଲୋ ବୀରତ୍ୱ ଗୁଣଟି 

ଅହଙ୍କାର କରି ଦୂର,

ତୃତୀୟ ଦିବସେ ତୋହରି ଆଶିଷେ 

ଯଶସ୍ୱୀ ହୁଅଇ ନର

ସକଳ ବ୍ରହ୍ମାଣ୍ଡ କରିଛୁ ରଚନା 

ଉଦରରୁ ତୋର ଜାତ,

ବ୍ରହ୍ମା ବିଷ୍ଣୁ ଶିବ ତୋହରି ସନ୍ତାନ 

ତୁ ପରା କୁଷ୍ମାଣ୍ଡା ମାତ ।।

ଚତୁର୍ଥ ଦୁର୍ଗା ତୁ ଅମୃତ ନୟନା 

ମହାଦେବୀ ଅନ୍ନପୂର୍ଣ୍ଣା,

କ୍ଷୁଧାର ବିନାଶେ ପ୍ରାଣ ରକ୍ଷାକରୁ 

ଦରିଦ୍ର ର ତୁହି ସୁନା ।।

ଭୟ କଟି ଯାଏ ତତେ ସୁମରିଲେ 

ରୋଗ ଶୋକ ଆସେ ନାହିଁ,

ଭକତ କରଇ ଅସାଧ୍ୟ ସାଧନ 

ମାଆ ତୋ ଚରଣେ ଧ୍ୟାୟୀ 

ଜଗତ ଜନନୀ ଲଭିଲେ ମାତୃତ୍ୱ 

ସାଜିଲେ ସେ ପୁତ୍ରବତୀ,

ପଞ୍ଚମ ସ୍ଥାନରେ ଦୁର୍ଗତିନାଶିନୀ 

ସ୍କନ୍ଦମାତା ସପ୍ତଶତୀ ।।

ପୁତ୍ର କାର୍ତ୍ତିକେୟ ଶିଖିଲେ ସମର 

ପରାଶକ୍ତି ମାତା ଠାରୁ,

ତାଡ଼କାସୁର କୁ କରିଲେ ବିନାଶ 

ଦେବୀ ହେଲେ ଆଦିଗୁରୁ ।।

ଚେତନା ଉଦୟ ତୋହରି ପୂଜନେ 

ବିଦ୍ୟା ବୁଦ୍ଧି ପାଏ ନର,

ଆଜନ୍ମ ମୂରୁଖ ହୁଏ ମହାକବି 

ଫିଟଇ ଭାଷା ଭଣ୍ଡାର ।।

ନବଜାତ ଶିଶୁ ଦରୋଟି ବଚନେ 

ମାଆ ମାଆ ବୋଲି କହେ,

ମୁକ କଣ୍ଠେ ବିଜେ କଲେ ଦୟାମୟୀ 

ସେ ପରା ଗାହାଣୀ ଗାଏ 

ମହିଷା ଦୈତ୍ୟର ବିନାଶ ପାଇଁ ମା'

ଷଷ୍ଠ ଦୁର୍ଗା କାତ୍ୟାୟନୀ,

ସ୍ବର୍ଣ୍ଣ ଆଭା ସମ ଝଲସେ ବଦନ 

ଦେବୀ ତୁ ଚାରୁ ହାସିନୀ ।।

କାତ୍ୟାୟନ ଋଷି ଗୃହେ ଜନମିଲୁ 

ମାନବୀ ରୂପ ରେ ତୁହି,

ଅସୁର କବଳୁ ରକ୍ଷାକଲୁ ସ୍ୱର୍ଗ 

ଗାଥା ହେଲା କାଳଜୟୀ ।।

ଗୋପନାରୀ ତୋର ପୂଜିଲେ ପୟର 

ରସିକ କହ୍ନେଇ ଲାଗି,

ବିବାହ ରିଷ୍ଟ କୁ କାଟନ୍ତି କୁମାରୀ 

ମାତା ପାଦେ ଭିକ୍ଷା ମାଗି ।।

ଗୃହସ୍ଥ ଜୀବନ ସରଳ ସୁଗମ 

ବଢଇ ସେନେହ ଭାବ,

ଶିବଶକ୍ତି ପ୍ରେମ ସଦା ଚିରନ୍ତନ 

ଶାଶ୍ୱତ ସେ ଅନୁଭବ 

ଭୟାନକ ତୋ ମୁଖ ମଣ୍ଡଳ 

ହେଲେ ତୁ ଶୁଭଙ୍କରୀ,

ସପ୍ତମ ଦୁର୍ଗା କାଳରାତ୍ରୀ ମା'

ସେ ପୁଣି ଶାକମ୍ବରୀ ।।

ଦାନବ ଭୁତ ରାକ୍ଷସ ପ୍ରେତ 

ପାଖ ମାଡ଼ନ୍ତି ନାହିଁ,

ଭକ୍ତ ଜପିଲେ ତୋହରି ନାମ

ଘୋର ସଙ୍କଟେ ଥାଇ ।।

ଗ୍ରହ କଷ୍ଟ ତ ମିଳେନା କେବେ 

ମାତା କରୁଣା ଥିଲେ,

ଜଗତ ଜିତା ହୁଅନ୍ତି ସର୍ବେ 

ଜନନୀ ବର ଦେଲେ ।।

ଧୁମ୍ର ଲୋଚନ ଶୁମ୍ଭ ନିଶୁମ୍ଭ 

ରକ୍ତବୀର୍ଯ୍ୟ କୁ ବଧି,

ଦେବୀ ସାଜିଲେ ଭବ ତାରିଣୀ 

ସ୍ୱର୍ଗ ଲଭିଲା ନିଧି 

ପବିତ୍ର ଆତ୍ମା ସ୍ବଚ୍ଛ ହୃଦୟ 

ଧବଳ ବର୍ଣ୍ଣା ତୁହି,

ଅଷ୍ଟମ ଦୁର୍ଗା ମହାଗୌରୀ ମା

ଦେବୀ ତୁ କ୍ଷମାମୟୀ ।।

ପାପ ନାଶିନୀ ମାତା ଶିବାନୀ 

ସୁଖ ସୌଭାଗ୍ୟ ଦେଉ,

ଅସମ୍ଭବ କୁ ସମ୍ଭବ କରି 

ସନ୍ତାନ ପାଶେ ଥାଉ ।।

ମହା ଅଷ୍ଟମୀ ଅଟେ ବିଶେଷ 

ନବରାତ୍ରି ରେ ଶ୍ରେଷ୍ଠ,

ନିର୍ଜ୍ଜଳ ବ୍ରତ କଲେ ଭକତ 

ଉଭେଇ ଯାଏ କଷ୍ଟ ।।

ମାତୃ ଶକତି ପ୍ରତୀକ ରୂପେ 

ପ୍ରଥମ ହସ୍ତେ ଶୂଳ,

ଦ୍ବିତୀୟ ହସ୍ତେ ଡମ୍ବରୁ ସେ ତ 

ସାକ୍ଷାତ ମହାକାଳ 

କମଳ ପୁଷ୍ପରେ ଉପବିଷ୍ଟା ମାତା 

ସିଦ୍ଧିଦାତ୍ରୀ ନାମ ତୋର,

ଅନ୍ତିମ ଦିବସେ ନବମ ଦୁର୍ଗା ତୁ 

ନବଦୁର୍ଗା ମଧ୍ୟେ ସାର ।।

ଦେବତା ଅସୁର ଋଷି ଅବା ନର 

ସଭିଏଁ ତୋହରି ଭକ୍ତ,

ଅପାର ବୈଭବ ଦେଇଥାଉ ମା' ଲୋ 

ଜୀବାତ୍ମା କୁ କରୁ ମୁକ୍ତ ।।

ମୋକ୍ଷର ମାର୍ଗକୁ କରିଛୁ ଉନ୍ମୁକ୍ତ 

ଭରିଦେଇ ବିଦ୍ୟା ବୁଦ୍ଧି,

ଉପାସନା ବଳେ ସାଧରଣ ଜନ

ଲାଭ କରେ ଅଷ୍ଟସିଦ୍ଧି ।।

ଅର୍ଦ୍ଧନାରୀଶ୍ୱର ରୂପ ଅସମ୍ପୁର୍ଣ୍ଣ 

ଦେବୀ ଅଂଶ ଯେବେ ନାହିଁ,

ସେ ପରା ଶକତି ଦେବୀ ଭଗବତୀ 

ମନଲାଖୀ ବରଦାୟୀ  ।।



Rate this content
Log in

Similar oriya poem from Drama