ଦଶଭୁଜା ମୁକ୍ତକେଶୀ
ଦଶଭୁଜା ମୁକ୍ତକେଶୀ
ଫୁଲ କାଶତଣ୍ଡୀ ସାଜିଛି ଚାମର
ଜନନୀ ଆସିବେ ବୋଲି,
ଶୋଭା ଶାରଦୀୟ କେଡ଼େ କମନୀୟ
ନଭ ହସେ ଖିଲି ଖିଲି....
କାଶଫୁଲ ସିନା କରେ ଆବାହନୀ
ପୂଜାରେ କେବେ ନ ଲାଗେ,
ତାକୁ ଚାହିଁଦେଲେ ସବୁରି ପ୍ରାଣରେ
ପାର୍ବଣ ପୁଲକ ଜାଗେ....
ପବନେ ଭାସୁଚି ମାଆର ସୁଗନ୍ଧ
ସତେକି ବରଷେ ପରେ,
ଚରଣେ ତାହାର କୋଟିଏ ସରଗ
ମଥାପାତି ଦେଲେ ଥରେ....
ଚାରିଧାମ ପୂଣ୍ୟ ଅବା ଗଙ୍ଗା ସ୍ନାନ
ଦିଏ ନାହିଁ ଯେତେ ଶାନ୍ତି,
ମାତୃ କରୁଣାରେ ଏ ଭବ ସଂସାରେ
ପ୍ରଶସ୍ତ ହୁଅଇ ମୁକ୍ତି....
ଷଡରିପୁ ପରା କଳିରେ ଦାନବ
ମନୁଷ୍ୟ ଭିତରେ ସବୁ,
ହେ ଦେବୀ ଭବାନୀ ମହିଷାମର୍ଦ୍ଦିନୀ
ପାରି କର ଇହ ଭବୁ
ପାର୍ବଣ ମହକେ କଟକ ଚମକେ
ଚତୁର୍ଦ୍ଦିଗ ଲାଗେ ନୂଆ,
ବାଉନ ବଜାର ତେପନ ଗଳିରେ
ସୁନାଚାନ୍ଦି ମେଢ ଠିଆ....
ମୂଳାଷ୍ଟମୀ ଠାରୁ ଷୋଳପୂଜା ବିଧି
ଆରମ୍ଭ ହେଲାଣି ପୀଠେ,
ଗଡ଼ଚଣ୍ଡୀ ମାତା ବେଶକୁ ଦେଖିଲେ
ନଜର ଜମା ନ ହଟେ....
ତାରକସି କାମ ବସ୍ତ୍ର ଆଭୂଷଣ
ଝଲସାଇ ଦିଏ ଆଖି,
ଜଗତ କଲ୍ୟାଣୀ କେଡ଼େ ଅପରୂପା
ଶାରଦୀୟା ନିରିମାଖି....
ମାଆର ସହର କଟକ ନଗର
ଥିଲା ଦିନେ ବୀରମାଟି,
କହେ ଗଡ଼ଖାଇ ଅତୀତ ଗୌରବ
ସାକ୍ଷୀ ପୁଣି ବାରବାଟୀ....
ମହାନଦୀ ତଟେ ମହିମା ମଣ୍ଡିତ
ଦେଉଳେ ପାଉଛି ପୂଜା,
ସାରା ଭାରତରେ ନାହିଁ ଷୋଳବେଶ
ସେ ପରା ଅନନ୍ୟ ଧ୍ୱଜା
ଶରତ କାଳରେ ଫୁଟିଲା ଶେଫାଳି
ଦିଶିଲା ଆକାଶ ସଫା,
କାଶତଣ୍ଡି ଗାଏ ଆବାହନୀ ଗୀତ
ମାଆ ମୋର ଦିବ୍ୟରୂପା....
ସିନ୍ଦୂର ଶୋଭିତା ଉଭା ଶାଳ ମାତା
ମୂରତି ଟିକିଏ ବଙ୍କା,
ଜୀବନ ବାଟକୁ କରିଦିଏ ସିଧା
ମନରେ ନଥାଏ ଶଙ୍କା....
ତା ପରି କରୁଣା ତା ପରି ମହିମା
କାହାରି ପାଖରେ ନାହିଁ,
ସୁନାମ ସମୃଦ୍ଧି ଭକତକୁ ଦିଏ
ଦୂର ଶାଳବଣେ ଥାଇ....
ମାଆ ବୋଲି ଡାକି ପୂଜିଲେ ପ୍ରସ୍ତର
ଆଶିଷ ପଡ଼ିବ ଝରି,
ଜବାବ ରଖିବ ନିଶ୍ଚେ ଦୟାମୟୀ
ସେ ପରା ମହା ଶାବରୀ....
ଦେହୁରୀ ହାତରୁ ମୋ ଗଛ ମନ୍ଦାର
ଶରଧାରେ ମାଆ ନିଏ,
ପିଟା ନଡ଼ିଆରେ ସଫଳତା ଭରି
ଡାଲାରେ ଫେରେଇ ଦିଏ
ଉତ୍କଳ ପ୍ରଦେଶେ ଦେବୀପୀଠ ମଧ୍ୟେ
ପ୍ରମୁଖ ଯେ ଅଷ୍ଟକୀଳା,
ଗ୍ରାମେ ଗ୍ରାମେ ବିଜେ ଶକତି ସ୍ବରୂପା
ପ୍ରସ୍ତରେ ସିନ୍ଦୂର ବୋଳା....
ଚଇତି ମାସରେ ଚଇତି ପରବ
ନିଆଁ ଚଲା କଣ୍ଟା ଝୁଲା,
ଅଶିଣ ଆସିଲେ ଷୋଡ଼ଶ ପୂଜନ
ପୀଠରେ ସାହାଣମେଲା....
କଟକେ ପ୍ରସିଦ୍ଧ ଶରତ ପାର୍ବଣ
ଚଣ୍ଡି ମାତା ଦେଉଳରେ,
ବିରଜା ମଣ୍ଡଳେ ହୁଏ ରଥଯାତ
ବିଖ୍ୟାତ ସେ ଭାରତରେ....
ବିମଳା ଦେବୀଙ୍କ ଶାକ୍ତ ଗୁଣ୍ଡିଚା ସେ
ଅଦ୍ୱିତୀୟ ପରମ୍ପରା,
ସମଲେଇ ମାତା ନବଦୁର୍ଗା ବେଶ
ପଶ୍ଚିମାଞ୍ଚଳେ ନିଆରା....
ପୂଜେ ବନବାସୀ ଶାଳ ଠାକୁରାଣୀ
ମାଆ ମାଆ ବୋଲି ଡାକି,
ପ୍ରତ୍ୟକ୍ଷା ଜନନୀ ଢାଙ୍କିଦିଏ କାନି
ନିରୀହ ପରାଣ ଦେଖି
