ସେତ ଭକତ ଭାବରେ ବନ୍ଧା
ସେତ ଭକତ ଭାବରେ ବନ୍ଧା
ଭକତର ବନ୍ଧୁ ସଖା ସହୋଦର
ସେତ ଭକତ ଜୀବନ
ଭକତି ଭାବରେ ସେତ ହଜିଯାଏ
ହୋଇଯାଏ ଯେ ତଲ୍ଲୀନ ।
ଭକତ ବିଦୂର ଭାବେ ବାନ୍ଧି ହୋଇ
ଶାଗ ଭଜା ସିଏ ଖାଏ
ରାଜ ଉଆସର ମିଷ୍ଟାନ୍ନ ବ୍ୟଞ୍ଜନ
ତା ପାଖେ ଯେ ତୁଚ୍ଛ ହୁଏ ।
ଭକତ ବତ୍ସଳ ସେ ପରା ବଉଳ
ଭକତ ଭାବରେ ବନ୍ଧା
ତା ପରି ଠାକୁର କିଏ ଅଛି ଆଉ
ଭକ୍ତ ଠୁ ଖାଏ ଗୋଇଠା ।
ଭକତି ଭାବରେ ଅଇଁଠା ଖାଏ ସେ
ଭକ୍ତ ଭାବ ବୁଝୁଥାଏ
ସିଏ ପରା ମୋର କାଳିଆ ଠାକୁର
ତା ପରି ଅଛି ବା କିଏ ।
ଭାବ ଭକତିରେ ତଲ୍ଲୀନ ହୋଇ ସେ
ମାଗେ ପାଞ୍ଚଖଣ୍ଡ ଗାଁ
ସମର୍ପଣ ଭାବେ ରକ୍ଷାକରି କରିଅଛି
ପାଞ୍ଚାଳୀଙ୍କର ମର୍ଯ୍ୟାଦା ।
ଭାବେ ବନ୍ଧା ସିଏ ପାଦ ନାହିଁ ସିନା
ବାଲିରଥେ ବିଜେ କରେ
ବଳରାମ ଦାସ ଭକ୍ତି ଭାବ କଥା
ଭାବରେ ପ୍ରକଟ କରେ ।
ଭକ୍ତ ସାଲବେଗ ଯବନ ବୋଲି ଯେ
ତା ଠୁ ଦୂରେଇ ଯାଇନି
ଭାବେ ବାନ୍ଧିହୋଇ ମୋ କଳା ଠାକୁର
ଦିଏ ରଥ ଅଟକାଇ ।
ଭକ୍ତ ଭାବେ ବନ୍ଧା ଭକ୍ତ କଳ୍ପତରୁ
ଭକତ ଜୀବନ ଧନ
ଭକ୍ତ ଭାବେ ମଜ୍ଜି ଭକତ ହାତରୁ
ନିଏ ନଡିଆ ତକ୍ଷଣ ।
ଗଜ ଉଦ୍ଧାରଣ ହରିଣୀ ତାରଣ
ସବୁ ଭାବର ମହକ
ସବୁ ଐଶ୍ୱର୍ଯ୍ୟ ଥାଇ ବା କି ହେବ
ଭକତି ଭାବ ନଥିବ ।
ଧନ ସମ୍ପଦର କିବା ଆବଶ୍ୟକ
ସୁଦାମାର ଭାବ ଥିଲେ
ଭାବରେ ଭାବରେ ଦ୍ଵାରକାଧୀଶ ଯେ
ସୁଦାମାଙ୍କ ପାଦ ଧୁଏ ।
ମୀରାବାଈ ଭାବେ ବନ୍ଧା ଥିଲା ସିଏ
ମୀରା ସାଜିଲେ ଯୋଗିନୀ
ଗରଳ ହୋଇଲା ସରଳ ପ୍ରସାଦ
ଆତ୍ମା ନନ୍ଦେ ନିମଜ୍ଜିନୀ ।
ଯୁଗେ ଯୁଗେ ସିଏ ଭକତ ବତ୍ସଳ
ରୂପେ ସେ ଅନେକ ରୂପ
ଶ୍ରୀଚୈତନ୍ୟ ଭାବେ ଦେଖାଇ ଦିଅନ୍ତି
ଜଗନ୍ନାଥେ କୃଷ୍ଣ ରୂପ ।
ଭକତ ଭାବରେ ଯୁଗେ ଯୁଗେ ବନ୍ଧା
ଭକ୍ତ ଅନୁଭବେ ବାସ
ଭକତି ଭାବରେ ପ୍ରତି ହୃଦୟରେ
ଧ୍ଵନୀ ଶୁଭୁ ଓଁ"କାରର ।
ଅଧ୍ୟାତ୍ମବାଦର ମୃଦୁ ଗୁଞ୍ଜରଣ
ସଦା ଗୁଞ୍ଜରିତ ହେଉ
ଭକ୍ତି ଭାବନାରେ ଏ ବିଶ୍ଵ ଭୁବନ
ମହକି ଯେ ଯାଉ ଥାଉ ।
