ସେଇ ମୋର ଗାଁ
ସେଇ ମୋର ଗାଁ
ସେଇ ମୋର ଗାଆଁ, ଜନମ ଭୁଇଁ,
ଯାହାର ତୁଳନା ଜଗତେ ନାହିଁ,
ନଥିଲେ ବି ତାର ସହରି ଢାଞ୍ଚା,
ତା କୋଳର ଶାନ୍ତି ସହରେ ନାହିଁ ।
ସେଇ ମୋର....
ସେଇଠି ଜନମି ଜେଜେ, ଜେଜେମାଆ,
ସେଇ ମାଟିରେ ଗଲେରେ ମିଶି,
ତାହାରି କୋଳରେ ମୋ ପ୍ରଥମ ପାଦ,
ଜୀବନେ ଚାଲିବା ପାରିଛି ଶିଖି ।
ତାହାରି ପାଣି, ତା'ର ପବନ,
ଅମୃତ ମୋ ପାଇଁ, ସେଇ ମୋର ଗାଁ.....
ତାହାରି ବନ, ପାହାଡ଼, ନଈ,
ମୋ କାନେ ଯାଏ କବିତା ଗାଇ,
ପ୍ରଭାତେ ଶୁଭେ ପକ୍ଷୀ କାକଳୀ,
ସନ୍ଧ୍ୟାରେ ବାସେ, ଦାଣ୍ଡ ଗୋଧୂଳି ।
ଚାଟଶାଳୀରୁ ପୂଜାମଣ୍ଡପ ତାଠାରେ ଶୋଭୁଥାଇ ।
ସେଇ ମୋର ଗାଁ..........
ସକାଳୁ ଛଡା ପାଣି ପକାଇ,
ଗୋବର ଲିପି ଚିତାକୁ ଥୋଇ,
ଚଷାପୁଅ ତା ଲଙ୍ଗଳ ଘେନି,
ଶସ୍ୟ ଫଳାଏ ଜଗତପାଇଁ ।
ଖରା, ବରଷା, ଶୀତ କାକର ତାହାର ଡର ନାହିଁ ।
ସେଇ ମୋର ଗାଁ.....
ବାର ମାସରେ ଯାନିଯାତରା,
ତା ପୋଡପିଠା, ଆଡିସା, କାକରା,
ଗଛ ଓହଳ, ଦୋଳିର ଖେଳ,
ସହରେ ନାହିଁ ପ୍ରକୃତି କୋଳ ।
ତା ପାଳଗଦା,ପୋଖରୀ କୁଦା ଆଉ କୋଉଠିକାହିଁ ।
ସେଇ ମୋର ଗାଁ........
ତାହାରି ଡୋରି ବାନ୍ଧିଛି ଭିଡି,
ଭାଇଚାରାର ସମ୍ପର୍କ ଗଢି,
ଝିଅବୋହୁଙ୍କ ଶଙ୍ଖ ହୁଳହୁଳି,
ସାଜିଛି ତାର ଯୋଡ଼ିମହୁରୀ ।
ଧନଠୁ ବଡ଼ ମହତ ତାର ସନ୍ତାନ ଭାବୁଥାଇ ।
ସେଇ ମୋର ଗାଁ.........
ପିଲାଏ ତାର ଚାନ୍ଦକୁ ଦେଖି,
ଖାଇବା କଥା ଯାଆନ୍ତି ଶିଖି,
ତାରାଗଣ ଯେ ରାତିରେ ତାର,
ଆକାଶେ ତୋଳେ ଲିଚୁର ମାଳ ।
ଅଙ୍କାବଙ୍କା ସଡ଼କ ତାର ନିଏରେ ମନ ମୋହି ।
ସେଇ ମୋର ଗାଁ.......
ଇତିହାସରେ ରହିଛି ଗାଥା,
ସାହିତ୍ୟରେ ସାଜିଛି କବିତା,
ତା ଗୁଣ ଗାରିମା ଆଗକୁ ନେଇ,
ତା ମାଟିରେ ଦିନେ ମିଶିବି ମୁହିଁ ।
ସେଇତ ଆମ ଜୀବନ ଦାତା ତାକୁ ଭୁଲିବା ନାହିଁ ।
ସେଇ ମୋର ଗାଆଁ ଜନମ ଭୂଇଁ...
