ଜାହ୍ନବୀ ଜନନୀ
ଜାହ୍ନବୀ ଜନନୀ
ଅପୂର୍ବ ଆନନ୍ଦେ ମନ ପ୍ରଫୁଲ୍ଲିତ
ଧନ୍ୟ ମୋ ହୋଇଛି ପ୍ରାଣ
ସୌଭାଗ୍ୟ ବଶତଃ ଭାରତେ ଜନମ
କରେ ଗଙ୍ଗା ଗୁଣ ଗାନ ।
ପାତକ ନାଶିନୀ ଜାହ୍ନବୀ ଜନନୀ
ଦାନଶୀଳେ ସାର ଯିଏ
ସେହି ପୁଣ୍ୟତୋୟା ବରଦା ଅଭୟା
ଗଙ୍ଗା ମାତା ମୋର ସିଏ ।
ଧରା କୋଳେ ଯେବେ ପାପ ଉତ୍ପୀଡକ
ଚିନ୍ତିତ ଜଗତ ଲୋକ
ପ୍ରଭୁ ପାଦେ ସର୍ବେ ଗୁହାରି କରନ୍ତି
ଲିଭାଅ ହେ ପ୍ରଭୁ ଶୋକ ।
ସଫଳ ଲଭଲେ ରାଜା ଭାଗୀରଥି
ଗଙ୍ଗା ହେଲେ ଅବତୀର୍ଣ୍ଣ
ହିମାଦ୍ରୀ ଅଙ୍କକୁ ମଣ୍ଡିତ କରିଣ
ଚିତ୍ତହାରୀ ଆକର୍ଷଣ ।
ଉଚ୍ଚ ପରବତ ସୌନ୍ଦର୍ଯ୍ୟେ ଶୋଭିତ
ଆନନ୍ଦ ଲହରି ଖେଳେ
କୁଳୁକୁଳୁ ନାଦେ ଗିରି ବନ ଲଂଘି
ନିର୍ଗତ ନିର୍ଝର ଚଳେ ।
ସ୍ପର୍ଶେ ପାପ ଧୌତ ଜୀବନ ମୁକତ
ଗଙ୍ଗାର ଉଦାର ତୀରେ
ଅପବିତ୍ରକୁ ସେ ଶୁଦ୍ଧ ପୁତ କରି
ଆନନ୍ଦ ଉଲ୍ଲାସ ଭରେ ।
କେତେ ଯେ ସଭ୍ୟତା ତା କୋଳରେ ସୃଷ୍ଟି
ଦର୍ଶାଇ ଅକ୍ଷୟ କୀର୍ତ୍ତି
କେତେ ଯେ ବିଲୁପ୍ତ କେତେ ଗରବରେ
ଜଗାଏ ତା ଅବସ୍ଥିତି ।
ମୁନି ଋଷି କିବା ଦାନବ ରାକ୍ଷସ
ରହି ଥାଏ ଆତଯାତ
ତାହାର ଘାଟରେ ସ୍ନାହାନ ସାରିଲେ
ସୁଖ ଶାନ୍ତି ଅପ୍ରମିତ ।
ଆହ୍ଲାବାଦ ଘାଟେ ପିତୃ ଶ୍ରାଦ୍ଧ ଦେଇ
ପୁଣ୍ୟ ଅରଜନ୍ତି ସର୍ବେ
ସମଗ୍ର ଭାରତ ଜନ ମନ ହୃଦ
ପୁଲ୍ଲକେ ନାଚଇ ଗର୍ବେ ।
ବିବିଧ ନାମରେ ପୂଜିତ ହୁଅଇ
ଶିବ ସୁହାଗିନୀ ପରା
ଜଟା ମଧ୍ୟ ଭାଗେ ଅବିରତ ଝରି
ଅର୍ଦ୍ଧ ଚନ୍ଦ୍ର ସଙ୍ଗେ ତୋରା ।
କର ଯୋଡ଼ି ଭୀଷ୍ମ ପୂଜା ଅର୍ଘ୍ୟ ଢାଳି
ପୂଜନ୍ତି ଚରଣ ଦୁଇ
ନୁହେଁ ଜନ୍ମଦାତ୍ରୀ ଅଜସ୍ର ତା କୀର୍ତ୍ତି
ତା ପରି ନାହିଁ ତ କେହି ।